ଭୁବନେଶ୍ବର ୫।୧୧: ମିଠା କିଣୁଥିଲେ ହୋଇଯାଆନ୍ତୁ ସାବଧାନ । ଅସ୍ବାସ୍ଥ୍ୟକର ପରିବେଶରେ ମିଠା ତିଆରି କରାଯିବା ସହ ମାର୍କେଟରେ ବିକ୍ରି ହେଉଛି ବାସି ମିଠା । ଯାହା ଆପଣ ଏବଂ ଆପଣଙ୍କ ସମ୍ପକୀୟଙ୍କ ଶରୀର ପ୍ରତି କ୍ଷତିକାରକ । ଖୋଦ୍ ରାଜଧାନୀରେ ମିଳୁଛି ମିଠା ନାମରେ ବିଷ । ଭୁବନେଶ୍ବର ମହାନଗର ନିଗମ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ରେଡ୍ ପରେ ଦେଖିବାକୁ ମିଳୁଛି ଏଭଳି କିଛି ସାଂଘାତିକ ଚିତ୍ର ।

ରସଗୋଲାରେ ଭାସୁଛନ୍ତି ଛୋଟ ଛୋଟ ଅସରପା । ଯେଉଁ ପରିବେଶରେ ଏହାକୁ ତିଆରି କରାଯାଉଛି ତାହା ବି ଅସ୍ବାସ୍ଥ୍ୟକର । ନିକଟରେ ଥୁଆ ହୋଇଥିବା ତେଲ ଡବା କଥା ନ କହିଲେ ଭଲ । ତେଲ ନୁହେଁ ତ ଖାଲି ଭାସୁଛି ଫେଣ । ଯେଉଁଥିରେ ତିଆରି ହେଉଛି ଖାଦ୍ୟ । ଏଭଳି ଗଦା ଗଦା ମିଠାକୁ ପକାଯାଉଛି ଡଷ୍ଟବିନ୍ରେ । କେବଳ ରସଗୋଲା ନୁହେଁ, ଗୋଲାପଜାମୁନ, ସନ୍ଦେଶ, ଛେନା ଝିଲ୍ଲି, ଛେନାପୋଡ ଆଦି ସବୁକୁ ଡଷ୍ଟବିନରେ ଫୋପଡା ଯାଉଛି । ଏହି ଖାଦ୍ୟ ଖାଇଲେ ଆପଣଙ୍କ ଶରୀରର ଅବସ୍ଥା କ’ଣ ହେବ ଚିନ୍ତା କରନ୍ତୁ । ଯେଉଁ ଗ୍ରାହକମାନେ ଏଠାରୁ ବର୍ଷ ବର୍ଷ ଧରି ମିଠା ଏବଂ ଛଣା ଖାଦ୍ୟ କିଣୁଥିଲେ, ସେମାନେ ଏହାକୁ ଦେଖି ଆବାକ୍ । କହୁଛନ୍ତି ଆମ ମାନଙ୍କ ବିଶ୍ବାସରେ ଦିଆଯାଉଛି ବିଷ । ଆମକୁ ଡରଲାଗିଲାଣି କାହା ଘରକୁ ମିଠା ନେଇ ଯିବାକୁ ।

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ରାଜଧାନୀବାସୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଏମସି ଫୁଡ ସେଫଟି ବିଭାଗ ପକ୍ଷରୁ ଗୁରୁବାର ରାଜଧାନୀରେ କରାଯାଇଥିଲା ମାରାଥନ୍ ରେଡ୍ । ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଏବଂ ଡମଣା ଅଞ୍ଚଳରେ ଥିବା ମିଠା ଦୋକାନ ଗୁଡିକରେ ଟିମ୍ କରିଥିଲେ ଅଚାନକ୍ ରେଡ୍ । ୧୦ଟି ମିଠା ଦୋକାନରେ ରେଡ୍ କରି ୧୫ହଜାର ଟଙ୍କା ଜେରିମାନା କଟାଯାଇଛି । ଏହାସହ ୯ ପ୍ରକାର ମିଠା ସାମ୍ପଲ ଟେଷ୍ଟ ପାଇଁ ପଠାଯିବା ସହ ପାଖାପାଖି ୧ କ୍ବିଣ୍ଟାଲ ମିଠା ନଷ୍ଟ କରାଯାଇଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି ।

Also Read:- ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ବଡ଼ ସହାୟତା ଦାବି, କେନ୍ଦ୍ରୀୟ ଟିମ୍ ଆଗରେ ଓଡ଼ିଶା ରଖିଲା ୧୨,୫୨୬ କୋଟିର ପ୍ରସ୍ତାବ

ରେଡ୍‌ରେ କେବଳ ମିଠାର ମାନ ଯାଞ୍ଚ କରାଯାଇନଥିଲା, କେତେ ପରିମାଣର ରଙ୍ଗ ଦିଆଯାଉଛି ତାହା ମଧ୍ୟ ଚେକ୍ କରାଯାଇଥିଲା । ସବୁଠାରୁ ବଡ କଥା କେଉଁ ପରିବେଶରେ ଏହାକୁ ତିଆାରି କରାଯାଉଛି ତାହା ଉପରେ ଟିମ୍ର ତୀକ୍ଷ୍ନ ନଜର ରହିଥିଲା । ଯେଉଁ ମିଠା ଦୋକାନ ମାନଙ୍କରେ ଏ ସବୁର ଉଲ୍ଲଂଘନ କରାଯାଇଥିଲା ପ୍ରଥମେ ସେମାନଙ୍କଠୁ କେବଳ ଫାଇନ ଆଦାୟ କରାଯାଇଛି । ପରବତ୍ତୀ ସମୟରେ ସଟର ବନ୍ଦ କରିଦିଆଯିବ ବୋଲି ଟିମ୍ କଡା ନିର୍ଦ୍ଦେଶ ଦେଇଛନ୍ତି । ସେପେଟ ବିଏମସିର ଏଭଳି ରେଡ୍କୁ ଦୋକାନୀ ମାନେ ବିରୋଧ କରିବା ସହ କହିଛନ୍ତି ଯେ, ପାର୍ବଣ ପୂର୍ବରୁ ଏଭଳି ରେଡ୍ ଆମକୁ ହଇରାଣ କରିବା ଉଦ୍ଦେଶ୍ୟ ରଖି କରାଯାଉଛି ।