Oracle layoff: ଟେକ୍ନୋଲୋଜୀ କମ୍ପାନୀ ଓରାକେଲ୍ ବଡ଼ ଧରଣର ଛଟେଇ ଆରମ୍ଭ କରିଦେଇଛି। ଭାରତ ସମେତ ମେସ୍କିକୋ ପର୍ଯ୍ୟନ୍ତ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରେ ଛଟେଇ କରିଛି। ଏନେଇ ଏହାର କର୍ମଚାରୀମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେମାନଙ୍କୁ ସକାଳ ୬ଟାରେ ମେସେଜ୍ ଓ ମେଲ୍ କରି ଛଟେଇ କରାଯାଇଥିବା କର୍ମଚାରୀମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଓରାକେଲ ଛଟେଇ କରିବା ନେଇ ଗତ କିଛି ମାସ ହେଲା ଆଲୋଚନା ହେଉଥିଲା। ଏନେଇ କର୍ମଚାରୀମାନେ ପ୍ରମାଦ ଗଣୁଥିଲେ। ସତକୁ ସତ କମ୍ପାନୀ ଛଟେଇ ଆରମ୍ଭ କରିଛି। ଯଦିଓ କେତେ ଛଟେଇ ହେବ ତା'ର ସଠିକ୍ ରିପୋର୍ଟ ସାମ୍ନାକୁ ଆସି ନାହିଁ, ତେବେ ୨୦ ରୁ ୩୦ ହଜାର କର୍ମଚାରୀ ଛଟେଇ କରାଯାଇଛି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଏହି ସଂଖ୍ୟା କମ୍ପାନୀର ମୋଟ ଶ୍ରମବଳ ୧ ଲକ୍ଷ ୬୨ ହଜାରର ୧୮ ପ୍ରତିଶତ।

ଏ ସମ୍ପର୍କିତ ଅନଲାଇନରେ ହୋଇଥିବା ପୋଷ୍ଟ ଅନୁଯାୟୀ, କର୍ମଚାରୀଙ୍କୁ ଛଟେଇ କରିବା ପୂର୍ବରୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା। ଏନେଇ ଏଚଆର ଆଲୋଚନା କିମ୍ବା ମ୍ୟାନେଜର କଲ୍ ମଧ୍ୟ କରାଯାଇ ନଥିଲା। ଛଟେଇ ଇ-ମେଲ୍ ସିଧାସଳଖ Oracle ନେତୃତ୍ୱଙ୍କଠାରୁ ଆସିଥିଲା ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଭାରତର ୧୨ ହଜାର କର୍ମଚାରୀ ବିଦା

ଏହି ଛଟେଇରେ ଅଧିକ ପ୍ରଭାବିତ ହୋଇଛନ୍ତି ଭାରତୀୟ କର୍ମଚାରୀ। ଖବର ସରବରାହ ସଂସ୍ଥା ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜବ୍‌ ମାର୍କେଟ୍ ହୋଇଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୩୦,୦୦୦ କର୍ମଚାରୀଙ୍କ ମଧ୍ୟରୁ ଭାରତରୁ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ବୋଲି କୁହାଯାଉଛି।

କାହିଁକି କର୍ମଚାରୀମାନଙ୍କୁ ଛଟେଇ କରିଛି ଓରାକେଲ?

କର୍ମଚାରୀ ଛଟେଇ ପଛରେ ଥିବା ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ହେଉଛି ଓରାକେଲର ବର୍ତ୍ତମାନ ଏଆଇ ଭିତ୍ତିଭୂମିରେ ଜୋର୍‌ସୋର୍‌ରେ ନିବେଶ କରିବା ଆରମ୍ଭ କରିଦେଇଛି। କମ୍ପାନୀ ପାଞ୍ଚ ବର୍ଷ ମଧ୍ୟରେ AI ଡାଟା ସେଣ୍ଟର ନିର୍ମାଣ ପାଇଁ ୧୬୫ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ବିଶେଷ କରି OpenAI ପାଇଁ ଏହି ଡାଟା ସେଣ୍ଟରେ ସ୍ଥାପନ କରାଯିବ।

ଏହି ଏଆଇ ଭିତ୍ତିଭମୂ ସମ୍ପ୍ରସାରଣ ପାଇଁ ବିପୁଳ ଖର୍ଚ୍ଚ ଆବଶ୍ୟକ ହେଉଛି। ଏହି ଡାଟା ସେଣ୍ଟରଗୁଡ଼ିକୁ ସପୋର୍ଟ  କରିବା ପାଇଁ ଓରାକେଲ୍ ପ୍ରାୟ ୩ ମିଲିଅନ ସ୍ପେଶାଲ୍ ଚିପ୍ସ କିଣିବ ବୋଲି ଆଶା କରାଯାଉଛି। ଏପରି ଭିତ୍ତିଭୂମି ଉପରେ ନିର୍ମାଣ ପାଇଁ କମ୍ପାନୀର ଖର୍ଚ୍ଚ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦୁଇ ବର୍ଷ ପୂର୍ବେ ବାର୍ଷିକ ଖର୍ଚ୍ଚ ପ୍ରାୟ $୬.୯ ବିଲିୟନ ଥିବା ଚଳିତ ବର୍ଷ ପ୍ରାୟ $୫୦ ବିଲିୟନକୁ ପହଞ୍ଚିଛି। ତେଣୁ ବହୁ ପରିମାଣରେ ନିବେଶ ହେଉଥିବାରୁ ଖର୍ଚ୍ଚ କାଟ୍ କରିବା ପାଇଁ କମ୍ପାନୀ ଏହି ଛଟେଇ କରିଛି। ​​​​​​​

​​​​​​​ନୋକିଆ ବି କରିବ ବଡ଼ ଧରଣର ଛଟେଇ

ସେହିପରି ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ନୋକିଆ ଏହାର ବିଶ୍ୱସ୍ତରୀୟ କର୍ମଚାରୀ ସଂଖ୍ୟା ୨୦ ପ୍ରତିଶତ ହ୍ରାସ କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ନୋକିଆର ୭୪,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି। ଭାରତରେ ନୋକିଆର ପ୍ରାୟ ୧୭,୦୦୦ ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏକ ବ୍ୟାପକ ପୁନର୍ଗଠନ ଯୋଜନାରେ କମ୍ପାନୀ ପ୍ରାୟ ୧୪ ହଜାର ପର୍ଯ୍ୟନ୍ତ କର୍ମଚାରୀ ଛଟେଇ କରିପାରେ

ବର୍ତ୍ତମାନ ସମୟରେ ଏଆଇର ବହୁଳ ବ୍ୟବହାର ଓ ନିବେଶ ବଢ଼ୁଥିବାରୁ Amazon, Microsoft ଏବଂ Google ଭଳି ବଡ଼ ବଡ଼ ଟେକ୍ ଜାଏଣ୍ଟମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। Meta ମଧ୍ୟ ୧୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।