ଭୁବନେଶ୍ୱର ୦୫।୧୧ : ଶିଶୁପାଳଗଡ଼ ଗୁଳିମାଡ଼ ଓ ହତ୍ୟା ଘଟଣାରେ ପୋଲିସର ଆକ୍ସନ । ଘଟଣାରେ ୯ ଜଣଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ହତ୍ୟା ପଛର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ ।

ପୋଲିସର ସୂଚନା ଅନୁସାରେ, ଗୁଳିମାଡ଼ ଘଟଣାରେ ମୋଟ୍ ୯ ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ ମାଉଜର, କ୍ୟାଟ୍ରିଜ୍, ଗୋଟିଏ ଅଫୁଟା ଗୁଳି ଏବଂ ଗୋଟିଏ ଖୋକା ଜବତ ହୋଇଛି । ଜବତ ଅସ୍ତ୍ରଶସ୍ତ୍ରକୁ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଛି । ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ତପୁ ନାୟକ । ସେ ଖଣ୍ଡଗିରି ଅଞ୍ଚଳର ତପୋବନ ବସ୍ତିର ବାସିନ୍ଦା । କେଉଁ କାରଣରୁ ତାଙ୍କୁ ଗୁଳିମାଡ଼ କରାଗଲା, ଏହା ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Also Read:-କୋଟିଆରେ ଓଡ଼ିଶାର କଡ଼ା ପହରା, ୩ ପ୍ରବେଶ ପଥ ସିଲ୍ ପରେ ପଛକୁ ହଟିଲା ଆନ୍ଧ୍ର

ଅନ୍ୟପଟେ ଘଟଣାରେ ଅଟକ ଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ହତ୍ୟା ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଲା ଏବଂ ଗୁଳିମାଡ଼ ପଛର ପ୍ରକୃତ କାରଣ କ'ଣ, ତାହା ଜାଣିବାକୁ ତଦନ୍ତ ଚାଲିଛି । ଏନେଇ ଭୁବନେଶ୍ୱର ଡିସିପି ଏମ୍. ଶ୍ରବଣା ବିବେକ ସୂଚନା ଦେଇଛନ୍ତି ।