ନୂଆଦିଲ୍ଲୀ, ୨୬/୧୦ : ଭୂମିକମ୍ପରେ ଥରିଲା ମେଘାଳୟ । ସୋମବାର ସକାଳ ସାଢେ ୬ଟାରେ ମେଘାଳୟରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କଲରେ ଏହାର ତୀବ୍ରତା ୩.୦ ବୋଲି ଜଣା ପଡିଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫ କିମି ମଧ୍ୟରେ ଥିବା ନ୍ୟାଶନାଲ୍ ସେଣ୍ଟର ଫର୍ ସିସମୋଲୋଜି ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ମେଘାଳୟରେ ଥିବା ପୂର୍ବ ଗାରୋ ହିଲ୍ସ ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୃପୃଷ୍ଣରୁ ବେଶି ଭିତରେ ନାହିଁ । ତେଣୁ ଜୋରଦାର ଝଟକା ଲାଗିନଥିଲା । କିନ୍ତୁ କିଛି ସମୟ ପାଇଁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ସେମାନେ ଘରୁ ବାହାରକୁ ଆସି ଯାଇଥିଲେ ।

ଭୂମିକମ୍ପରେ ଏବେସୁଦ୍ଧା କ୍ଷୟକ୍ଷତି ବାବଦରେ କିଛି ଜଣା ପଡିନାହିଁ । ରିକ୍ଟର ସ୍କେଲରେ ଏହାର ତୀବ୍ରତାକୁ ନଜର ପକାଇଲେ ସେତେଟା କ୍ଷୟକ୍ଷତି ହୋଇନଥିବା ଆକଳନ କରାଯାଉଛି । କିନ୍ତୁ ଗାରୋ ହିଲ୍ସର କିଛି ସ୍ଥାନରେ ମାଟି ଅତଡା ଖସିଥିବା ନେଇ ଆଶଙ୍କା କରାଯାଉଛି ।

ଏହାପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୧୮ ତାରିଖରେ ସମାନ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଥିଲା । ସେବେ ମଧ୍ୟ ରିକ୍ଟର ସ୍କେଲରେ ତୀବ୍ରତା ୩.୦ ରେକର୍ଡ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୭୨ କିଲୋମିଟର ତଳେ ଥିବା କୁହାଯାଇଥିଲା ।