ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିରୋଧରେ ଜନ୍ତର-ମନ୍ତରରେ ଜାରି ପ୍ରଦର୍ଶନ ମଧ୍ୟରେ ଲୋକସଭାରେ ବିରୋଧୀ ଦଳନେତା ରାହୁଲ ଗାନ୍ଧିଙ୍କ ବାସଭବନରେ ଇଣ୍ଡିମେଣ୍ଟ ସାଂସଦଙ୍କ ବୈଠକ ଚାଲିଛି। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଯାତାୟାତ ହେଉଥିବା ନେତାଙ୍କ ଉପରେ ନଜର ରଖା ଯାଇଛି। ଏହି ବୈଠକରେ ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତି କରୁଥିବାର ଆକଳନ କରାଯାଉଛି।

ବୈଠକରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦ ସଞ୍ଜୟ ଯାଦବ ଓ ସୁଧାକର ସିଂହଙ୍କ ସମେତ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିୟା ଗାନ୍ଧି ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଯୋଗ ଦେଇଛନ୍ତି। ଏହାଛଡା ଏନସିପି(ଶରଦ)ସାଂସଦ ସୁପ୍ରିୟା ସୁଲେ ଓ ଶିବସେନା(ଉଦ୍ଧବ) ସାଂସଦ ଅରବିନ୍ଦ ସାୱନ୍ତ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳ ନେତାଙ୍କ ଏପରି ଅପ୍ରତ୍ୟାସିତ ବୈଠକରେ ରାହୁଲ ଗାନ୍ଧିଙ୍କ ବାସଭବନ ସମ୍ମୁଖ ସୁରକ୍ଷା କଡ଼ା କଡି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ନିଟ୍ ପେପର ଲିକ୍ ମାମଲାରେ ବିରୋଧୀ ଦଳ ଲଗାତାର ସରକାରଙ୍କୁ ଘେରୁଛନ୍ତି। ଏଥିରେ ଜନ୍ତର-ମନ୍ତରରେ ମଧ୍ୟ ଛାତ୍ରଙ୍କ ବିକ୍ଷୋଭ ଜାରି ରହିଛି। ଏଣୁ ରାହୁଲ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକ ରାଜନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହା ଛଡା ଗୁରୁବାର ପୂର୍ବାହ୍ନରେ ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଭେଟିଥିଲେ। ଏହି ସାକ୍ଷାତରେ ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ସୌଗତ ରାୟ ଓ ମହୂଆ ମୈତ୍ରା ମଧ୍ୟ ଉପସ୍ଥିତ ଥିଲେ।