ନୂଆଦିଲ୍ଲୀ ୧୭।୦୭; ଉତ୍ତରପ୍ରଦେଶର ଜଣେ ମୁସଲିମ୍ ଧର୍ମଗୁରୁ ଅର୍ଥାତ୍ ମୌଲାନା ଜରଜିସ ଅନସାରୀଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋସିଆକ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସେ ଦାବି କରୁଥିବା ଦେଖାଯାଇଛି ଯେ, ଭଗବାନ ଶ୍ରୀକୃଷ୍ଣ ଜଣେ ମୁସଲିମ ଥିଲେ ଓ ସେ ନମାଜ ପାଠ କରୁଥିଲେ। ତାଙ୍କ ଜୀବନଶୈଳୀ ଇସଲାମ ପରମ୍ପରା ସହ ମେଳ ଖାଉଥିଲା। ମୌଲାନା କହିଥିଲେ, ଗୀତାରେ ଅଛି: ଯୋଗୀ ୟୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ । ଏହି ମନ୍ତବ୍ୟ ପ୍ରକାଶ ପାଇବା ପରେ ବିଭିନ୍ନ ହିନ୍ଦୁ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ କଡ଼ା ବିରୋଧ କରାଯାଇଛି।

ମୌଲାନା ଦାବି କରିଥିଲେ ଯେ, ଭଗବାନ୍ ଶ୍ରୀକୃଷ୍ଣ ସମଗ୍ର ଶରୀର ଦେଇ ଭଗବାନଙ୍କ ଉପାସନା କରିବାକୁ ଭକ୍ତମାନଙ୍କୁ କହୁଥିଲେ ଓ ସେ ନିଜେ ପାଞ୍ଚଥର ନମାଜ କରୁଥିଲେ। ଯଦି ମୋ କଥା ବିଶ୍ବାସ ହେଉନି, ତେବେ ଗୀତାର ଷଷ୍ଠ ଅଧ୍ୟାୟର ଦଶମ ଶ୍ଳୋକ ଦେଖନ୍ତୁ। ତାଙ୍କର ଏହି ଦାବିକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ ଲୋକ ଏହାକୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ମନ୍ତବ୍ୟ ବୋଲି କହିଛନ୍ତି। ଏହି ଘଟଣା ପରେ ହିନ୍ଦୁ ସଂଗଠନଗୁଡ଼ିକ ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେମାନଙ୍କ କହିବା ଅନୁସାରେ, ଏଭଳି ବୟାନ ସାମ୍ପ୍ରଦାୟିକ ସଦ୍ଭାବନାକୁ କ୍ଷତି ପହଞ୍ଚାଇପାରେ ଏବଂ ଧାର୍ମିକ ଉତ୍ତେଜନା ସୃଷ୍ଟି କରିପାରେ। କିଛି ସଂଗଠନ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ, ମୌଲାନା ଜରଜିସ ଅନସାରୀ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, କାହାର ଧାର୍ମିକ ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ତାଙ୍କ ମନ୍ତବ୍ୟକୁ ପ୍ରସଙ୍ଗରୁ ଅଲଗା କରି ପ୍ରଚାର କରାଯାଇଛି ବୋଲି ସେ ଦାବି କରିଛନ୍ତି। ତଥାପି ତାଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ବିବାଦ ଥମିନାହିଁ। ଘଟଣାକୁ ନେଇ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ସମ୍ପର୍କରେ ସୂଚନା ମିଳିନାହିଁ।