ବ୍ରହ୍ମପୁର ୦୩।୦୨: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଶତାଧିକ ନବଦମ୍ପତ୍ତିଙ୍କ ବିବାହର ଆୟୋଜନ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।

 

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କ ସୌଭାଗ୍ୟ । ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା, ଯୌତୁକ ପ୍ରଥାକୁ ଲୋପ କରିବାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହାୟକ ହେବ ବୋଲି ସିଏମ୍ ମାଝୀ କହିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ । ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯିବ । କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ୪୫ହଜାର ଟଙ୍କା ପଠା ଯିବ । ଏହା କେନ୍ଦ୍ର ସରକାରଙ୍କ ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ଯୋଜନାର ଏକ ନିଦର୍ଶନ । ଏହାଛଡ଼ା ଯୁନିୟନ ବଜେଟରେ ମହିଳା ବିକାଶ ଓ ସୁରକ୍ଷା ପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ-୨୦୨୬ରେ ମହିଳାଙ୍କ ପାଇଁ ୯.୪ ପ୍ରତିଶତ ବ୍ୟୟ ଅଟକଳ ରହିଛି । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ କହିଛନ୍ତି ।

କନ୍ୟା ଓ ବରର ବାପା-ମାଆଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସାହିତ କରିବ । ଐତିହାସିକ ଯୋଜନା ସମାଜର କୁପ୍ରଥାକୁ ରୋକିବାରେ ସହାୟକ ହେବ । ସବୁ କ୍ଷେତ୍ରରେ ଝିଅ ମାନେ ଆଗୁଆ ଏବଂ ସଶକ୍ତ ହେବେ ।  ଆର୍ଥିକ ବୋଝ କମାଇବା ଏବଂ ଆର୍ଥିକ ସହାୟତା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ବେଶ ସହାୟକ ହେବ । ଅନଗ୍ରସର ଝିଅ ମାନେ ଏହା ଦ୍ୱାରା ଉପକୃତ ହେବେ । ସାମାଜିକ ବ୍ୟବସ୍ଥାରେ ସୁଧାର ଆସିବ । ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଏକ କୋଟି ମହିଳାଙ୍କୁ ସାମିଲ କରିବାରେ ସରକାର ସକ୍ଷମ । ‘ସୁଭଦ୍ରା’ ଯୋଜନା ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ମହିଳାଙ୍କୁ ଅଧିକ ସଶକ୍ତ କରିବ । ଏହା ଭଗବାନଙ୍କ ଆଶୀର୍ବାଦ ସେମାନେ ମାଆ-ବାପାଙ୍କ ପାଇଁ ଆଉ ବୋଝ ହୋଇ ରହିବେ ନାହିଁ ବୋଲି ମୁଖମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଏ ଖବରବି ପଢନ୍ତୁ:- ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ସଜା, ଭୁବନେଶ୍ବର ଷ୍ଟେସନରୁ ଗିରଫ ହୋଇଥିଲେ ୯ ବଂଲାଦେଶୀ