ନୂଆଦିଲ୍ଲୀ ୧୬।୦୯; ମେହେନ୍ଦୀ ଲଗାଇଲେ ଫିଟିବ ବାହାଯାତ୍ରା । ଇନଷ୍ଟାଗ୍ରାମରେ ରିଲ୍ସ ଭାଇରାଲ୍ ପରେ ଗଣେଶ ମନ୍ଦିରରେ ବାଡ଼ୁଅଙ୍କ ଭିଡ଼ । ୩ ଘଣ୍ଟାରେ ଖାଲି କରିଦେଲେ ୩୫୦୦ କିଲୋ ମେହେନ୍ଦି । ସୋମବାର ଗଣେଶ ଚତୁର୍ଥୀରେ ଜୟପୁରର ମୋତି ଡୁଙ୍ଗରୀ ମନ୍ଦିରକୁ ଛୁଟିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ । ଭିଡ଼ ନିୟନ୍ତ୍ରଣ କରିପାରିଲେନି ପୁଲିସ କି ମନ୍ଦିର ପ୍ରଶାସନ । ଶେଷରେ ଲୋକଙ୍କୁ ଘରକୁ ଫେରିଯିବାକୁ ସନ୍ଧ୍ୟା ୭ଟାରେ ମାଇକ୍ ଯୋଗେ ଅପିଲ୍ କଲା ମନ୍ଦିର ପ୍ରଶାସନ ।

ସୂଚନାନୁଯାୟୀ, ଜୟପୁରର ମୋତି ଡୁଙ୍ଗରୀ ଗଣେଶ ମନ୍ଦିରରେ ମେହେନ୍ଦୀ ପ୍ରସାଦ ରୂପରେ ଲାଗି ହୁଏ । ଏହି ମେହେନ୍ଦୀ ଲଗାଇବା ଦ୍ଵାରା ଜଲଦି ବାହାଘର ହୋଇଯାଏ ବୋଲି ମାନ୍ୟତା ରହିଛି । ମନ୍ଦିରକୁ ନେଇ ଏହି ଲୋକ ବିଶ୍ଵାସ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବା ପରେ ସୋମବାର ଗଣେଶ ଚତୁର୍ଥୀ ଦିନ ମୋତି ଡୁଙ୍ଗରୀ ମନ୍ଦିରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । କିଏ ନିଜ ପାଇଁ ତ ଆଉ କେହି ଭାଇ-ଭଉଣୀଙ୍କ ଓ ପୁଅ-ଝିଅଙ୍କ ପାଇଁ ମେହେନ୍ଦୀ ନେବା ପାଇଁ ଲାଇନ୍ ଲଗାଇଥିଲେ । ଦିଲ୍ଲୀ, ଚଣ୍ଡୀଗଡ଼, ଗୁଜରାଟ, ମହାରାଷ୍ଟ୍ର, ପୁଣେ, ଇନ୍ଦୋର, ଭୋପାଳ ଏବଂ ଆଗ୍ରା ସମେତ ଅନେକ ସହରରୁ ଲୋକମାନେ ଧାଇଁ ଆସିଥିଲେ । ଶନିବାର ରାତିରୁ ଜୟପୁରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ସୋମବାର ଦିନ ମେହେନ୍ଦୀ ଲାଗି ହେବା ପରେ ମାତ୍ର ୩ ଘଣ୍ଟାରେ ୩୫୦୦ କିଲୋ ମେହେନ୍ଦୀ ଖାଲି ହୋଇଯାଇଥିଲା । ୫୦୦ ରୁ ଅଧିକ ସ୍ଵୟଂସେବକ ଏବଂ ଧାଡ଼ି ବ୍ୟବସ୍ଥା ସତ୍ତ୍ଵେ ଭିଡ଼ ନିୟନ୍ତ୍ରଣ ହୋଇପାରି ନଥିଲା ।

ମୋତି ଡୁଙ୍ଗରୀ ଗଣେଶ ମନ୍ଦିରରେ ମେହେନ୍ଦୀ ବାଣ୍ଟିବାର ପରମ୍ପରା ୨୦୦ ବର୍ଷ ପୁରୁଣା । କୁହନ୍ତି ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା । ଏହି କାରଣରୁ ସେ ଭକ୍ତମାନଙ୍କ ବିବାହରେ ଆସୁଥିବା ବାଧାକୁ ହରଣ କରିନିଅନ୍ତି । ୧୭୬୧ ମସିହାରେ ସେଠ ଜୟ ରାମ ପାଲିୱାଲଙ୍କ ଦ୍ୱାରା ଏହି ଗଣେଶ ମନ୍ଦିର ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ଥିବା ମୂର୍ତ୍ତି ୫୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ । ପ୍ରତିବର୍ଷ ଗଣେଶ ଚତୁର୍ଥୀରେ, ଏହି ମୋତି ଡୁଙ୍ଗରୀ ମନ୍ଦିରରେ ସିଞ୍ଜାରା ପର୍ବ ପାଳନ କରାଯାଏ । ଏହି ପର୍ବ ପାଇଁ ହଜାର ହଜାର ଲୋକ ଏକତ୍ରିତ ହୁଅନ୍ତି । ବିବାହ କାର୍ଯ୍ୟକ୍ରମ ହେଲେ ଶ୍ରୀଗଣେଶଙ୍କୁ ପ୍ରଥମେ ବିବାହ କାର୍ଡ ଦିଆଯାଏ । ବିବାହ ପରେ, ନବବିବାହିତ ଦମ୍ପତି ତାଙ୍କ ଆଶୀର୍ବାଦ ପାଇବା ପାଇଁ ମନ୍ଦିରକୁ ଯାଆନ୍ତି ।..