ମୁମ୍ବାଇ ୧୮।୧: ନିକଟରେ ମହାରାଷ୍ଟ୍ରରେ ଅନୁଷ୍ଠିତ ନଗରନିଗମ ନିର୍ବାଚନରେ ମାର୍କର ପେନରେ ଭୋଟରଙ୍କ ଅଙ୍ଗୁଳିରେ କରାଯାଇଥିବା ଚିହ୍ନ କୁ ନେଇ ବିବାଦ ଉପୁଜିଥିଲା। ଏଥିରେ ସ୍ୟାହିର ଦାଗ ଲିଭିଯାଇଥିବା ଦେଖାଯାଇଥିଲା। ଏହାକୁ ନେଇ ଭୋଟ ଠକେଇ ଅଭିଯୋଗ ଉଠିଥିଲା। ଏବେ ଏହି ବିବାଦରେ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ ମାର୍କର ପେନ ବଦଳେ ସାଧାରଣ ନିର୍ବାଚନରେ ଉପଯୋଗ ହେଉଥିବା ଅଲିଭା ବୋତଲ କାଳି (ସିଲଭର ନାଇଟ୍ରେଟ୍) ବ୍ୟବହାର କରାଯିବ ବୋଲି ଏସଇସି କହିଛନ୍ତି।

ଏସଇସି ଦିନେଶ ୱାଘମାରେ କହିଛନ୍ତି ଆୟୋଗ ସତର୍କତା ଅବଲମ୍ବନ କରିବାକୁ ଚାହାନ୍ତି, ଏଣୁ ଏହି ପଦକ୍ଷେପ ଗ୍ରହଣ କରାଯିବ। ନଗରନିଗମ ନିର୍ବାଚନ ଦିନ ଭୋଟଦାନ ଆରମ୍ଭ ହେବାମାତ୍ରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଏହିସବୁ ଭିଡିଓ ରେ ଅଙ୍ଗୁଳିରେ ଲଗାଯାଇଥିବା ମାର୍କର ସ୍ୟାହି ଲିଭିଯାଉଥିବା ଦେଖାଯାଇଥିଲା। ଏଥିରେ କେତେକ ସଠ ଭୋଟର ମାର୍କର ସ୍ୟାହିକୁ ଲିଭାଇ ଅନ୍ୟ ମତଦାନ କେନ୍ଦ୍ରରେ ମତଦାନ କରିଥିବା ବି କହିଥିଲେ। ଏଣୁ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେ ଏପରି ଦାୟିତ୍ୱହୀନ କାମ ପାଇଁ ଏସଇସିଙ୍କ ନିଲମ୍ବନ ଦାବି କରିଥିଲେ ଓ ତାଙ୍କ ଉପରେ କ୍ଷମତାସୀନ ମେଣ୍ଟର ସମର୍ଥନ କରୁଥିବାର ଅଭିଯୋଗ ଆଣିଥିଲେ।

ସେହିପରି ଏନସିପି ନେତା ତଥା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ରୂପାଲୀ ଚାକଣକର କହିଥିଲେ ଯେ ବୋତଲ ସ୍ୟାହି ଅଧିକ ସୁରକ୍ଷିତ, ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନରେ ବ୍ୟବହାର କରାଯାଏ। ଏଥିରେ କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ନେଲ ରିମୁଭରରେ ମାର୍କର ସ୍ୟାହି ଲିଭିଯାଉଥିବା ଦେଖାଯାଇଥିଲା। ତେବେ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଥିଲେ ପରାଜୟ ପାଇଁ ବିବାଦ ଛିଡା କରାଯାଉଛି। ବିବାଦକୁ ନଜରରେ ରଖି ଏସଇସି ସବୁ ନଗରନିଗମ ନିର୍ବାଚନ ବୁଥରେ ଉପଯୋଗ ହୋଇଥିବା ନୂଆ ୫-୬ ମାର୍କର ପେନର ସାମ୍ପଲ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାଞ୍ଚ ରିପୋର୍ଟ ସପ୍ତାହ ମଧ୍ୟରେ ଆସିଯିବ ବୋଲି କୁହାଯାଇଥିଲା।

ତେବେ ଆୟୋଗ ସ୍ପଷ୍ଟ ଭାବେ କହିଥିଲେ ଯଦି କେହି ଭୋଟର ସ୍ୟାହି ହଟାଇବାକୁ ଉଦ୍ୟମ କରନ୍ତି ତେବେ ଏହା ଦଣ୍ଡନୀୟ ଅପରାଧ ହେବ। ତେବେ ସ୍ୟାହି ହଟାଇ ଦ୍ୱିତୀୟବାର ମତଦାନ ସମ୍ଭବ ନୁହେଁ ବୋଲି ଏସଇସି କହିଥିଲେ, କାରଣ ମତଦାନ ରେକର୍ଡ ଅଧିକାରୀଙ୍କ ନିକଟରେ ରହୁଛି। ସେହିପରି ଆୟୋଗ ଭ୍ରମାତ୍ମକ ଭିଡିଓ ଏବଂ ଗୁଜବ ରଟାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚେତାବନୀ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୧୯୬୨ ମସିହାରୁ ଭାରତରେ ନିର୍ବାଚନ ପାଇଁ ଅଲିଭା ସ୍ୟାହି ଉପଯୋଗ ହୋଇ ଆସୁଛି। ଏଥିରେ ସିଲଭର ନାଇଟ୍ରେଟ୍ ଥାଏ, ଯାହା ତ୍ୱଚା ଓ ଆଲୋକ ସଂସ୍ପର୍ଷରେ ଆସି ଗଭୀର ଚିହ୍ନ ସୃଷ୍ଟି କରିଥାଏ। ଏହି ଚିହ୍ନ ସାଧାରଣତଃ ତ୍ୱଚାରେ ୩-୪ ଦିନ ପର୍ଯ୍ୟନ୍ତ ଓ ନଖରେ ୨-୪ ସପ୍ତାହ ପର୍ଯ୍ୟନ୍ତ ଥାଏ। ସ୍ଥାନୀୟ ପାଳିକା ନିର୍ବାଚନରେ ୨୦୧୧ ମସିହାରୁ ମାର୍କରରେ ଚିହ୍ନ କରାଯାଇ ଆସୁଛି। ହେଲେ ଆୟୋଗ ପୁଣି ସିଲଭର ନାଇଟ୍ରେଟ୍ ସ୍ୟାହି ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।