ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଗସ୍ତରେ ଚୀନ ପହଞ୍ଚିଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କର ଅନେକ ସହଯୋଗୀ, ସୁରକ୍ଷାକର୍ମୀ, ଅଧିକାରୀ ଏବଂ ସିଇଓଙ୍କ ସହ ଚୀନ ପହଞ୍ଚିଛନ୍ତି। ଯେଉଁଥିରେ ଇଲନ ମସ୍କ, ଜେନସେନ ହୁଆଙ୍ଗଙ୍କ ଭଳି ବଡ଼ ବିଜନେସ ଲିଡର ମଧ୍ୟ ଅଛନ୍ତି । ବୁଧବାର ଚୀନ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ଟ୍ରମ୍ପ ବୈଠକ ପାଇଁ ଜିନପିଙ୍ଗଙ୍କ ସହ ଗ୍ରେଟ ହଲ୍ ଯାଇଥିଲେ। ଯେଉଁଠି ଟ୍ରମ୍ପ, ଜିନପିଙ୍ଗଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।

ହେଲେ ଏସବୁ ଭିତରେ ଆଉ ଏକ କାହାଣୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଫକ୍ସ ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ଚୀନ ଯାତ୍ରା ସମୟରେ ଟ୍ରମ୍ପଙ୍କ ପୂରା ପ୍ରତିନିଧିମଣ୍ଡଳ ‘ଡିଜିଟାଲ ଲକଡାଉନ’ ଅନୁସାରେ ଚୀନ ପହଞ୍ଚିଛନ୍ତି। ଏହି ନିୟମ ଅନୁସାରେ, ଆମେରିକୀୟ ଅଧିକାରୀ ନିଜର ବ୍ୟକ୍ତିଗତ ଫୋନ୍ ଆମେରିକାରେ ହିଁ ଛାଡ଼ି ଆସିଛନ୍ତି। ଆଉ ଏବେ ସେମାନେ ଚୀନରେ ସେମାନଙ୍କୁ ସାଧାରଣ ସୀମିତ ଫିଚର ଥିବା ଡିଭାଇସ ଏବଂ ଅସ୍ଥାୟୀ ଲାପଟାପ ସହ କାମ କରିବାକୁ ପଡ଼ୁଛି। ଯାହାକୁ ହ୍ୟାକିଂ ଏବଂ ଡାଟା ସଂଗ୍ରହ ବିପଦକୁ କମ୍ କରିବା ପାଇଁ ଡିଜାଇନ କରାଯାଇଛି। ଏହା ପଛର ବଡ଼ କାରଣ ହେଉଛି ଚୀନରେ ସାଇବର ସୁରକ୍ଷା ମାହୋଲକୁ ନେଇ ଆମେରିକାର ସନ୍ଦେହ। ଆମେରିକା ସବୁବେଳେ ଚୀନର ସାଇବର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଆସିଛି।

Also Read: ଇରାନକୁ ଘାତକ ଯୁଦ୍ଧାସ୍ତ୍ର ଦେବାକୁ ପ୍ଲାନ୍ କରିଛି କି ଚୀନ ? CIAର ସୂଚନା ପରେ ଟ୍ରମ୍ପ ବିଚଳିତ

‘ଚୀନ କରିଥାଏ ନିରୀକ୍ଷଣ’

ଆମେରିକାର ପୂର୍ବତନ ସିକ୍ରେଟ ସର୍ଭିସ ସ୍ପେଶାଲ ଏଜେଣ୍ଟ ଏବଂ ସେଫହେଭେନ ସିକ୍ୟୁରିଟି ଗ୍ରୁପର କାର୍ଯ୍ୟକାରୀ ସୁରକ୍ଷା ନିର୍ଦ୍ଦେଶକ ବିଲ ଗେଜ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆମେରିକୀୟ ଅଧିକାରଙ୍କ ପାଇଁ ବ୍ରିଫି ଆରମ୍ଭ ହୋଇଥାଏ। ଏହାର ଉଦ୍ଦେଶ୍ୟ ଗସ୍ତ ପୂର୍ବରୁ ସବୁ ଠିକ୍ ଅଛି କି ନାହିଁ ତାହା ଜାଣିବା।’’ ହ୍ବାଇଟ ହାଉସର ପୂର୍ବତନ ମୁଖ୍ୟ ସୂଚନା ଅଧିକାରୀ ଏବଂ ସାଇବର ସୁରକ୍ଷା କମ୍ପାନି ଫୋଟେଲିସ ସଲ୍ୟୁସନ୍ସର ସିଇଓ ଥେରେସା ପେଟନ ମଧ୍ୟ କହିଛନ୍ତି ଯେ, ଅଧିକାରୀଙ୍କୁ ଏହି ଚେତାବନୀ ଦିଆଯାଇଛି ଯେ, ସବୁ ଡିଜିଟାଲ ଏବଂ ବ୍ୟକ୍ତଗତ ଗତିବିଧି ଉପରେ ନଜର ରଖାଯାଇପାରେ। ସେଥିପାଇଁ ଅଧିକାରୀ ଫୋନ୍ ଏବଂ ଲାପଟପ୍ ଆମେରିକାରେ ଛାଡ଼ି ଆସିଛନ୍ତି। 

ଚାର୍ଜିଂ ଉପରେ ବି ପ୍ରତିବନ୍ଧକ

ରିପୋର୍ଟ ଅନୁସାରେ, ଏହି ସତର୍କତାମୂଳକ ପଦକ୍ଷେପ ଡିଭାଇସର ଚାର୍ଜିଂ ପାଇଁ ମଧ୍ୟ ଲାଗୁ। ଆମେରିକା ସୁରକ୍ଷା ଏଜେନ୍ସୀ ଅଜଣା ୟୁଏସବି ପୋର୍ଟରୁ ଡାଟା ଚୋରି ବା ମାଲଓ୍ବେର ଇନଷ୍ଟଲ ହେବା ନେଇ ମଧ୍ୟ ଚେତାବନୀ ଦେଛନ୍ତି। ଏହାକୁ ଜୁସ୍ ଜ୍ୟାକିଂ ବୋଲି କୁହାଯାଏ। ଏହି କାରଣରୁ ଟ୍ରମ୍ପଙ୍କ ସହ ଆସିଥିବା ବଡ଼ ବିଜନେସ ଲିଡରଙ୍କ ମଧ୍ୟ କଡ଼ା ଡିଜିଟାଲ ସତର୍କତା ପାଳନ କରିବାକୁ ପଡ଼ୁଛି।

Also Read: ଚୀନ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି, ଜିନପିଙ୍ଗ-ଟ୍ରମ୍ପଙ୍କ ବୈଠକ ଉପରେ ଦୁନିଆର ନଜର

ଦାବିକୁ ପ୍ରତ୍ୟାଖ୍ୟାନ କଲା ଚୀନ ଦୂତାବାସ

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡ କରିଛନ୍ତି ଚୀନ ସରକାର। ଚୀନ୍ ଦୂତାବାସର ମୁଖପାତ୍ର ଲିଉ ପେଙ୍ଗ୍ୟୁ ଫକ୍ସ ନ୍ୟୁଜ୍କୁ କହିଛନ୍ତି, ଚୀନରେ ବ୍ୟକ୍ତିଗତ ଗୋପନୀୟତା ଆଇନ ଦ୍ୱାରା ସୁରକ୍ଷିତ। ଚୀନ୍ ସରକାର "ଆଇନର ଉଲ୍ଲଂଘନ କରି କୌଣସି ଉଦ୍ୟୋଗ କିମ୍ବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କିମ୍ବା ସଂରକ୍ଷଣ କରିବାକୁ କେବେ ବାଧ୍ୟ କରିନାହିଁ ଏବଂ କେବେ କରିବ ନାହିଁ।"

ଏହି ରିପୋର୍ଟ ସାଇବର ସୁରକ୍ଷା, ଗୁପ୍ତଚର ଏବଂ ନିରୀକ୍ଷଣ ଚିନ୍ତାକୁ ନେଇ ୱାଶିଂଟନ ଏବଂ ବେଜିଂ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆସିଛି। ଆମେରିକୀୟ ଅଧିକାରୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ, ଚୀନ୍ ସହିତ ଜଡ଼ିତ ହ୍ୟାକିଂ ଗୋଷ୍ଠୀଗୁଡ଼ିକ ସରକାରୀ ଏଜେନ୍ସି, ଟେଲିକମ୍ୟୁନିକେସନ୍ ନେଟୱାର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରୁଛନ୍ତି।