ଶନି ଗୋଚର: ୨୦୨୭ ମସିହାରେ ଶନିଙ୍କ ରାଶି ପରିବର୍ତ୍ତନ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ଶନିଙ୍କ ଗୋଚର କେବଳ ଗ୍ରହର ରାଶି ପରିବର୍ତ୍ତନ ନୁହେଁ, ବରଂ ଏହାଦ୍ୱାରା ଅନେକ ରାଶିରେ ଚାଲିଥିବା ସାଢ଼େସାତୀ ଓ ଢୈୟା ସ୍ଥିତି ମଧ୍ୟ ବଦଳିବ ।

ଜ୍ୟୋତିଷ ଗଣନା ଅନୁସାରେ, ୨୦୨୭ରେ ଶନିଦେବ ଦୁଇଥର ରାଶି ପରିବର୍ତ୍ତନ କରିବା ଭଳି ସ୍ଥିତି ସୃଷ୍ଟି କରିବେ । ଜୁନ୍ ମାସରେ ଶନି ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ପରେ ଅକ୍ଟୋବରରେ ବକ୍ରୀ ହୋଇ ପୁଣି ମୀନ ରାଶିକୁ ଫେରିବେ । ଏହି ପରିବର୍ତ୍ତନର ପ୍ରଭାବ ୭ଟି ରାଶି ଉପରେ ବିଶେଷ ଭାବେ ପଡ଼ିବ ବୋଲି ଜ୍ୟୋତିଷ ଆକଳନ କରାଯାଇଛି । କିଛି ରାଶିକୁ ସାଢ଼େସାତୀ ଓ ଢୈୟାରୁ ସାମୟିକ ଆଶ୍ୱସ୍ତି ମିଳିବାକୁ ଥିବାବେଳେ ଆଉ କିଛି ରାଶି ପାଇଁ ନୂଆ ଚ୍ୟାଲେଞ୍ଜ ଆସିପାରେ । ବୈଦିକ ଜ୍ୟୋତିଷ ଅନୁସାରେ, ଶନି ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ବର୍ଷ ରହିଥାନ୍ତି । ତେଣୁ ତାଙ୍କର ରାଶି ପରିବର୍ତ୍ତନର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ।

ମେଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ଶନିଙ୍କ ଏହି ଗୋଚର ଗୁରୁତ୍ୱପୂର୍ଣ୍ଣ ରହିବ । ଜୁନ୍ ୨୦୨୭ରେ ଶନି ମେଷ ରାଶିରେ ପ୍ରବେଶ କରିବା ସହ ଏହି ରାଶିରେ ସାଢ଼େସାତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ସମୟରେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । କାର୍ଯ୍ୟକ୍ଷେତ୍ରରେ ନୂଆ ଭୂମିକା ମିଳିବାର ସମ୍ଭାବନା ରହିଛି । କିନ୍ତୁ ଏହା ସହ କାମର ଚାପ ମଧ୍ୟ ବଢ଼ିପାରେ ।

କୁମ୍ଭ ରାଶି: ଏହି ରାଶିର ଲୋକଙ୍କ ପାଇଁ ଜୁନ୍ ୨୦୨୭ ଆଶ୍ୱସ୍ତି ଆଣିପାରେ । ଶନି ମେଷ ରାଶିକୁ ପ୍ରବେଶ କରିବା ମାତ୍ରେ କୁମ୍ଭ ରାଶିରୁ ସାଢ଼େସାତୀ ଶେଷ ହୋଇଯିବ । ଦୀର୍ଘଦିନ ଧରି ଚାଲିଥିବା ସମସ୍ୟା ଓ କାର୍ଯ୍ୟକ୍ଷେତ୍ରରେ ବାଧାରୁ ଆଶ୍ୱସ୍ତି ମିଳିବାର ଆଶା ରହିବ । ଚାକିରି ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସୁଯୋଗ ମିଳିପାରେ । ତେବେ ଏହି ଆଶ୍ୱସ୍ତି ସ୍ଥାୟୀ ହେବ ନାହିଁ । ଅକ୍ଟୋବର ୨୦୨୭ରେ ଶନି ପୁଣି ମୀନ ରାଶିକୁ ଫେରିବା ପରେ କୁମ୍ଭ ରାଶି ଉପରେ ସାଢ଼େସାତୀ ପୁଣି ଆରମ୍ଭ ହେବ ।

ମୀନ ରାଶି: ଏହି ରାଶିର ଜାତକଧାରୀଙ୍କ ଉପରେ ବର୍ତ୍ତମାନ ଶନିଙ୍କ ସାଢ଼େସାତୀର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଜୁନ୍ ୨୦୨୭ରେ ଶନି ମେଷ ରାଶିକୁ ଯିବା ପରେ ସାଢ଼େସାତୀର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ସମୟରେ ଦାୟିତ୍ୱରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବାର ସମ୍ଭାବନା କମ୍ । ଚାକିରି, ପରିବାର ଓ ଆର୍ଥିକ ମାମଲାରେ ସନ୍ତୁଳନ ରଖି ଚାଲିବାକୁ ପଡ଼ିବ । ଧୈର୍ଯ୍ୟ ଓ ଶୃଙ୍ଖଳାର ସହ କାମ କରିବା ଭଲ ହେବ।

ସିଂହ ରାଶି: ସିଂହ ରାଶିର ଲୋକଙ୍କ ଉପରେ ବର୍ତ୍ତମାନ ଅଷ୍ଟମ ଶନିଙ୍କ ପ୍ରଭାବ ରହିଛି । ଏହାକୁ ଶନିଙ୍କ ଢୈୟା ସହ ଯୋଡ଼ି ଦେଖାଯାଏ । ଜୁନ୍ ୨୦୨୭ରେ ଶନି ମେଷ ରାଶିକୁ ପ୍ରବେଶ କରିବା ପରେ ଏହି ପ୍ରଭାବ ଶେଷ ହୋଇଯିବ । ଫଳରେ ଆର୍ଥିକ ଓ ପାରିବାରିକ ମାମଲାରେ ଆଶ୍ୱସ୍ତି ମିଳିପାରେ । ନିବେଶ ଓ ଚାକିରି ସମ୍ବନ୍ଧୀୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନର ସୁଯୋଗ ମିଳିପାରେ । କିନ୍ତୁ ଅକ୍ଟୋବରରେ ଶନି ପୁଣି ମୀନ ରାଶିକୁ ଫେରିବା ପରେ ଅଷ୍ଟମ ଶନିଙ୍କ ପ୍ରଭାବ ପୁଣି ଆରମ୍ଭ ହେବ ।

ଧନୁ ରାଶି: ଧନୁ ରାଶିର ଲୋକଙ୍କ ପାଇଁ ମଧ୍ୟ ଜୁନ୍ ୨୦୨୭ର ଶନି ଗୋଚର ଆଶ୍ୱସ୍ତି ଆଣିପାରେ । ଏହି ସମୟରେ ଶନି ଧନୁ ରାଶିର ଚତୁର୍ଥ ଭାବରୁ ବାହାରି ପଞ୍ଚମ ଭାବକୁ ଯିବେ । ଏହାଦ୍ୱାରା କଣ୍ଟକ ଶନି ଅର୍ଥାତ୍ ଢୈୟାର ପ୍ରଭାବ ଶେଷ ହେବ । ତେବେ ଅକ୍ଟୋବରରେ ଶନି ପୁଣି ମୀନ ରାଶିକୁ ଫେରିବା ପରେ ଢୈୟା ଆରମ୍ଭ ହୋଇଯିବ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ପାଇଁ ଜୁନ୍ ୨୦୨୭ର ଶନି ଗୋଚର କିଛି ନୂଆ ଆହ୍ୱାନ ଆଣିପାରେ । ଶନି ମେଷ ରାଶିକୁ ପ୍ରବେଶ କରିବା ମାତ୍ରେ କନ୍ୟା ରାଶିରେ ଅଷ୍ଟମ ଶନି ଅର୍ଥାତ୍ ଢୈୟା ଆରମ୍ଭ ହେବ । ଏହି ସମୟରେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଅଧିକ ସତର୍କ ରହିବାକୁ ପଡ଼ିବ । କୌଣସି କାମରେ ତରବରିଆ ନିଷ୍ପତ୍ତି ନେବା ଉଚିତ ନୁହେଁ ।

ମକର ରାଶି: ଏହି ରାଶିର ଲୋକଙ୍କ ଉପରେ ମଧ୍ୟ ଜୁନ୍ ୨୦୨୭ରୁ ଶନିଙ୍କ ଢୈୟା ଆରମ୍ଭ ହେବ । ଶନି ମେଷ ରାଶିକୁ ପ୍ରବେଶ କରିବା ପରେ ମକର ରାଶିର ଚତୁର୍ଥ ଭାବରେ ଅବସ୍ଥାନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଏହି ସ୍ଥିତିକୁ କଣ୍ଟକ ଶନି କୁହାଯାଏ । ଏହି ସମୟରେ ଘର, ପରିବାର, ଜମିବାଡ଼ି ଓ ଆର୍ଥିକ ମାମଲାରେ କିଛି ସମସ୍ୟା ଦେଖାଦେଇପାରେ । ଅକ୍ଟୋବର ୨୦୨୭ରେ ଶନି ପୁଣି ମୀନ ରାଶିକୁ ଫେରିବା ପରେ ଏହି ଢୈୟା ଶେଷ ହୋଇଯିବ ।