ଭୁବନେଶ୍ବର ୩।୧୦: ବିଶ୍ୱ ପ୍ରସିଦ୍ଧ କୋଣାର୍କ ନବଗ୍ରହ ମନ୍ଦିର ପରିଦର୍ଶନ କଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ । ପୁରୀ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ସେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସେବାୟତଙ୍କ ଅଭିଯୋଗ ଶୁଣିଛନ୍ତି ।

ସୂଚନାଯୋଗ୍ୟ ଯେ, ASI ପକ୍ଷରୁ ସୂର୍ଯ୍ୟ ମନ୍ଦିର ପ୍ରସ୍ଥାନ ଗେଟ୍ ବନ୍ଦ କରାଯିବା ଯୋଗୁ ନବଗ୍ରହ ସେବାୟତଙ୍କ କୌଳିକ ବୃତ୍ତି ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏହାସହ ଶତାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ନବଗ୍ରହ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏହି ଖବର ପାଇବା ପରେ ବିଜେପି ରାଜ୍ୟ ସଭାପତି ନିଜେ ସୂର୍ଯ୍ୟ ମନ୍ଦିର ପ୍ରସ୍ଥାନ ଗେଟ୍ ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ସେବାୟତ ମାନେ ASIର ମନମୁଖୀ ନୀତି ଓ ନିଜର ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ ।

ସେବାୟତଙ୍କ ଅଭିଯୋଗ ଶୁଣିବା ପରେ ମନମୋହନ ସାମଲ ସେମାନଙ୍କୁ ପୂର୍ଣ୍ଣ ଆଶ୍ୱାସନା ଦେଇଛନ୍ତି । ଖୁବଶୀଘ୍ର ASI କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ସେବାୟତଙ୍କ ସମସ୍ତ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।