କରଞ୍ଜିଆ ୧।୬: ମଣିଷକୁ ଖାଇଗଲା ବାଘ ! ରବିବାର ସକାଳୁ ଜଙ୍ଗଲକୁ ଯାଇଥିଲେ, ସୋମବାର ସକାଳୁ ସକାଳୁ ମିଳିଲା କ୍ଷତାକ୍ତ ଗୋଡ଼ । ଆଉ ନିକଟରେ ପଡ଼ିଛି ପିନ୍ଧିଥିବା ଲୁଙ୍ଗି । ଆଉ ଅଧା ଶରୀରକୁ ବାଘ ଖାଇଯାଇଥିବା ସନ୍ଦେହ କରାଯାଉଛି । କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡିଛି ଜଣେ ବ୍ୟକ୍ତିଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ । ବ୍ୟକ୍ତିଙ୍କ ଅଧା ଶରୀରର ମିଳୁନି ପତ୍ତା । ତେବେ ଅଧାଦେହକୁ ବାଘ ଖାଇ ଚାଲିଯାଇଥିବା ପାରିପାର୍ଶ୍ଵିକ ଅବସ୍ଥାରୁ ଜଣାପଡୁଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଶୀପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ ।

Also Read:- ଜାଗମରା ଅଞ୍ଚଳରେ ଅଘଟଣ, ସର୍ଟସର୍କିଟରୁ ଜଳିଗଲା ଆମ୍ବୁଲାନ୍ସ

ସାଧୁ ନାଏକ ରବିବାର ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ସୋମବାର ସକାଳୁ ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । ଏହାସହ ତାଙ୍କର ଲୁଙ୍ଗି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।