କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ ଭୋଟିଂକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ତୃଣମୂଳ କଂଗ୍ରେସ (ଟିଏମସି) ପ୍ରଥମରୁ ନିର୍ବାଚନ ଜିତିବା ସ୍ଥିତିର ସଂକେତ। କୋଲକାତାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଟିଏମସି ବିଜୟ ଆଡକୁ ଅଗ୍ରସର ହେଉଛି। ସେ ଏହା ବି କହିଛନ୍ତି ଯେ ତାଙ୍କର କୌଣସି ପଦପଦବୀ ପାଇଁ ଆକାଙକ୍ଷା ନାହିଁ, ତେବେ କେନ୍ଦ୍ରରେ ବିଜେପି ସରକାରର ଅନ୍ତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ଲୋକଙ୍କ ଭାବନାକୁ ବୁଝି ଆଜିର ଭୋଟିଂ ଆଧାରକୁ ନେଇ ଟିଏମସି ପ୍ରଥମରୁ ବିଜୟ ପଥରେ ଅଗ୍ରସର ହେଉଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୨୯୪ ଆସନ ମଧ୍ୟରୁ ୧୫୨ଟି ଆସନ ନିମନ୍ତେ ଭୋଟ ଗ୍ରହଣ ହୋଇଛି। ପରବର୍ତ୍ତି ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ଆରମ୍ଭ ଦୁଇ ଘଣ୍ଟାରେ ୧୮.୭୬% ଭୋଟିଂ ହୋଇଥିଲା। ପୂ୍ର୍ବାହ୍ନ ୯ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ଦାନରେ ୩.୬୦ କୋଟି ଭୋଟରଙ୍କ ମଧ୍ୟରୁ ୧୮.୭୬%ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ବାଙ୍କୁରା ବିଧାନସଭା ଆସନରେ ପ୍ରାରମ୍ଭିକ ୨ ଘଣ୍ଟାରେ ସର୍ବାଧିକ ୨୨.୦୫% ଭୋଟ ଗ୍ରହଣ ହୋଇଥିଲା।

ସେହିପରି ମୁର୍ଶିଦାବାଦର ସମଶେରଗଞ୍ଜରେ ୨୧.୮୫% ଓ ପଶ୍ଚିମ ମେଦିନୀପୁରର ଚନ୍ଦ୍ରକୋଣାରେ ୨୧.୮୩% ଭୋଟ ଗ୍ରହଣ ହୋଇଥିଲା। ତେବେ ଏହି ସମୟରେ କୁଚବିହାର ଦକ୍ଷିଣରେ ସବୁଠୁ କମ୍ ୧୫.୫୭% ଭୋଟ ରେକର୍ଡ ହୋଇଛି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନରେ ବାଧା ଉପୁଜିଥିଲା। ତେବେ ଅଧିକାରୀମାନେ ଇଭିଏମ ସଜାଡିବା ପରେ ମତଦାନ ସ୍ୱଭାବିକ ହୋଇଥିଲା। କଂଗ୍ରେସର ସୁରୀ ନିର୍ବାଚନମଣ୍ଡଳି ପ୍ରାର୍ଥୀ ସଞ୍ଜୟ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ଇଭିଏମ ତ୍ରୁଟି ଯୋଗୁ ସେ ସକାଳ ୭ଟା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ଭୋଟ ଦେବାକୁ ଦୀର୍ଘ ଅପେକ୍ଷା କରିବାକୁ ପଡିଥିଲା।