ନୂଆଦିଲ୍ଲୀ ୨୯।୧୦; ତାମିଲନାଡୁ ରାଜନୀତିରେ ଏବେ ଅଭିନେତା ଧନୁଷଙ୍କୁ ନେଇ ଚର୍ଚ୍ଚା ଜୋରଦାର । ଅଭିନେତାରୁ ରାଜନେତା ଏବଂ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜୋସେଫ୍ ବିଜୟଙ୍କ ପରେ ଧନୁଷ୍ ମଧ୍ୟ ରାଜନୀତିରେ ପାଦ ଥାପିବେ କି ? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ଓ ସେପ୍ଟେମ୍ବରରେ RSSର ଦକ୍ଷିଣ ଭାରତୀୟ ଶାଖା ସହ ଜଡ଼ିତ ଜଣେ ବରିଷ୍ଠ ନେତାଙ୍କୁ ଧନୁଷ୍ ଦୁଇଥର ଭେଟିଥିବା ଖବର ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ତେବେ ଏହି ସାକ୍ଷାତର ଉଦ୍ଦେଶ୍ୟ କିମ୍ବା ରାଜନୀତିରେ ପ୍ରବେଶ ନେଇ ଧନୁଷ୍ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି ।

ଧନୁଷ୍ଙ୍କ ରାଜନୈତିକ ଏଣ୍ଟ୍ରି ଚର୍ଚ୍ଚା ପଛରେ ତାଙ୍କ ପ୍ରଶଂସକ ସଂଗଠନର ପରିବର୍ତ୍ତନ ମଧ୍ୟ ଏକ କାରଣ । ପୂର୍ବରୁ ‘ଧନୁଷ୍ ନର୍ପାନି ମଣ୍ଡ୍ରମ୍’ ନାମରେ ପରିଚିତ ସଂଗଠନକୁ ଏବେ ‘ଧନୁଷ୍ ନର୍ପାନି ଇୟକ୍କମ୍’ ବା ‘ଧନୁଷ୍ କଲ୍ୟାଣ ଆନ୍ଦୋଳନ’ ଭାବେ ପୁନର୍ଗଠନ କରାଯାଇଛି । ଅକ୍ଟୋବର ୨୫ରେ ଚେନ୍ନାଇ ଉପକଣ୍ଠର ଏକ ଘରୋଇ କଲେଜରେ ଧନୁଷଙ୍କ ସହ ୨,୫୦୦ରୁ ଅଧିକ ମହିଳା ସମର୍ଥକ ସାକ୍ଷାତ କରିଥିଲେ । ଧନୁଷ୍ ସେମାନଙ୍କ ସହ ମିଶିବା ସହ ଫଟୋ ଉଠାଇଥିଲେ ଏବଂ ରୁପା କାମାଚ୍ଚି ଦୀପ ବଣ୍ଟନ କରିଥିଲେ।

ରାଜନୀତିରେ ପ୍ରବେଶ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ସିଧାସଳଖ ଉତ୍ତର ଦେଇନଥିଲେ । ଫଳରେ ତାଙ୍କର ନିରବତାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ଅଭିନେତା ବିଜୟଙ୍କ ପ୍ରଶଂସକ ସଂଗଠନ ‘ବିଜୟ ମକ୍କଲ ଇୟକ୍କମ୍’ ପରେ ତାଙ୍କ ରାଜନୈତିକ ଦଳ ତାମିଲଗା ଭେଟ୍ରି କଝଗମ୍ (TVK) ଗଠନରେ ଭୂମିକା ନେଇଥିଲା । ଜନକଲ୍ୟାଣମୂଳକ କାର୍ଯ୍ୟ ଓ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଜରିଆରେ ବିଜୟ ରାଜନୀତିରେ ନିଜର ଆଧାର ମଜବୁତ କରିଥିଲେ । ଧନୁଷଙ୍କ ସଂଗଠନର ପୁନର୍ଗଠନ ଓ ସମର୍ଥକଙ୍କ ସହ କାର୍ଯ୍ୟକ୍ରମକୁ ଦେଖି ତାଙ୍କ ରାଜନୈତିକ ଯୋଜନା ନେଇ ଅନୁମାନ କରାଯାଉଛି । ତେବେ ବିଜୟଙ୍କ ପରି ସେ ମଧ୍ୟ ପ୍ରଥମ ପ୍ରୟାସରେ ସଫଳ ହେବେ କି ଏବଂ ଭବିଷ୍ୟତରେ ବିଜୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ କି, ତାହା ଏବେଠାରୁ କହିବା ଠିକ୍ ହେବନି । ଧନୁଷ୍ ନିଜେ ରାଜନୈତିକ ଦଳ ଗଢ଼ିବେ କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତାଙ୍କ ସମ୍ଭାବିତ ଦଳର ନାଁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ।

ଧନୁଷଙ୍କ ରାଜନୀତିକୁ ଆସିବା ନେଇ ତାମିଲନାଡୁର ବିଭିନ୍ନ ଦଳର ନେତାମାନେ ମଧ୍ୟ ମତ ରଖିଛନ୍ତି । କେତେକ ନେତା ଏହା ପଛରେ ବିଜେପି-ଆରଏସଏସ ରଣନୀତି ଥିବା ଅଭିଯୋଗ କରିଥିବାବେଳେ, ଅନ୍ୟ କେତେକ ଧନୁଷଙ୍କ ରାଜନୀତିକୁ ଆସିବାର ଅଧିକାର ଥିବା କହିଛନ୍ତି । ଏପରିକି AIADMK ନେତା କେ.ଟି. ରାଜେନ୍ଦ୍ର ବାଲାଜୀ ତାଙ୍କୁ ଦଳରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଥିବା ରିପୋର୍ଟ ରହିଛି । ତାମିଲନାଡୁରେ ସିନେମା ଓ ରାଜନୀତିର ସମ୍ପର୍କ ଦୀର୍ଘଦିନର । ଅତୀତରେ ଏମ୍.ଜି. ରାମଚନ୍ଦ୍ରନ୍, ଜୟଲଳିତା ଓ ଅନ୍ୟାନ୍ୟ ଚଳଚ୍ଚିତ୍ର ଜଗତର ଚେହେରା ରାଜନୀତିରେ ନିଜର ପ୍ରଭାବ ଛାଡ଼ିଛନ୍ତି । ବିଜୟଙ୍କ ରାଜନୈତିକ ଉତ୍ଥାନ ପରେ ଧନୁଷ ନେଇ ଚର୍ଚ୍ଚା ଏହି ପରମ୍ପରାକୁ ପୁଣି ଆଲୋଚନାର କେନ୍ଦ୍ରକୁ ଆଣିଛି । ଏହାସହ ଅଭିନେତା ଶିବକାର୍ତ୍ତିକେୟନ୍ ମଧ୍ୟ ଭବିଷ୍ୟତରେ ରାଜନୀତିକୁ ଆସିପାରନ୍ତି ବୋଲି ତାମିଲ୍ ଚଳଚ୍ଚିତ୍ର ଜଗତରେ ଆଲୋଚନା ହେଉଛି।