ମୁମ୍ଵାଇ ୨୯।୧୦; ପ୍ରେମ ପାଇଁ କିଏ କେତେ ବାଟ ଯାଇପାରେ, ତାହାର ଏକ ରୋମାଞ୍ଚକର ଉଦାହରଣ ଦେଇଛନ୍ତି ବଲିଉଡ୍ ଷ୍ଟାର୍ ରଣବୀର କପୁର। ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ପୁଣି ଥରେ ଚର୍ଚ୍ଚାରେ। ଏଥର ଚର୍ଚ୍ଚାର କାରଣ ହେଉଛି ଆଲିଆଙ୍କୁ ପ୍ରପୋଜ୍ କରିବା ସମୟର ଏକ ରୋମାଞ୍ଚକର ଅନୁଭୂତି। ‘କୌନ୍ ବନେଗା କରୋଡ଼ପତି’ର ଷ୍ଟେଜ୍ରେ ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ବେଳେ ରଣବୀର ଏହି ଘଟଣାର ମଜାଦାର କାହାଣୀ ସେୟାର କରିଛନ୍ତି।

ରଣବୀରଙ୍କ କହିବା ଅନୁସାରେ, ଆଲିଆଙ୍କୁ ପ୍ରପୋଜ୍ କରିବା ପାଇଁ ସେ ପୂର୍ବରୁ ସବୁ ପ୍ରସ୍ତୁତି କରିଥିଲେ। ରଣବୀର କପୁର କହିଲେ, “ମୁଁ ଗାଇଡ୍ ଏବଂ ଡ୍ରାଇଭରଙ୍କୁ ଜଙ୍ଗଲ ଭିତରେ କୌଣସି ଏକ ନିଚ୍ଛାଟିଆ ସ୍ଥାନରେ ଗାଡ଼ି ଅଟକାଇବାକୁ କହିଥିଲି। ମୁଁ ନିଜ ସାଙ୍ଗରେ ଏକ ମୁଦି ମଧ୍ୟ ଆଣିଥିଲି।” ସେ ନିଜ ଡ୍ରାଇଭରଙ୍କୁ ଏହା ମଧ୍ୟ କହିଥିଲେ, “ମୁଁ ଗୋଟିଏ ଆଣ୍ଠୁରେ ବସି ତାଙ୍କୁ ପ୍ରପୋଜ କରିବି… ତୁମେ ଦୟାକରି ଦୂରରୁ କିଛି ଫଟୋ ଉଠାଇବ, କାରଣ ଝିଅମାନଙ୍କୁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ପାଇଁ ବହୁତ ପସନ୍ଦ କରନ୍ତି। ମୋତେ ଲାଗିଲା ଯେ ଆଲିଆଙ୍କ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।” ଏହା ଶୁଣି ଅମିତାଭ ବଚ୍ଚନ ହସିଦେଲେ ଏବଂ କହିଲେ, “ଆଖିଦୃଶିଆ ପ୍ରମାଣ ତ ରହିବା ଦରକାର।” ଏହାର ଉତ୍ତରରେ ରଣବୀର କହିଲେ, “ଆଜ୍ଞା, ମୁଦି ତ ମୋ ପାଖରେ ଥିଲା…ମୁଁ ଏହାକୁ ଘରୁ ଆଣିଥିଲି!”

ରଣବୀର ଆହୁରି ମଧ୍ୟ କହିଲେ, “ସେହି ପରିବେଶଟି ବେଶ୍ ରୋମାଞ୍ଚକର ଥିଲା। ପ୍ରାୟ ୧୦୦ ଫୁଟ ଦୂରରେ ତିନୋଟି ସିଂହ ଥିଲେ ଏବଂ ମୋର ନିଜର ‘ସିଂହୀ’ ଠିକ୍ ମୋ ସାମ୍ନାରେ ଛିଡ଼ା ହୋଇଥିଲେ। ସେହି ସମୟରେ ମୁଁ ଏକ ଛୋଟ ମୂଷା ପରି ଗୋଟିଏ ଆଣ୍ଠୁ ମାଡି ପଚାରିଲି, ‘ବେବି, ତୁମେ ମୋତେ ବିବାହ କରିବ କି?’” ଏହା ପରେ ଅମିତାଭ ଶୁଣି ଖୁସି ହୋଇଥିଲେ । ଏବେ ଏହି ଘଟଣାର କାହାଣୀ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି। ରଣବୀର ଓ ଆଲିଆ ୧୪ ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀର ଏହି ଅଧ୍ୟାୟ ଏବେ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇବା ସହ ରୋମାନ୍ସ ଓ ରୋମାଞ୍ଚର ଏକ ନିଆରା ମିଶ୍ରଣ ପାଲଟିଛି।