ନବରଙ୍ଗପୁର ୨୨।୯: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ନବରଙ୍ଗପୁର ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ଏହି ୫ଟି ବ୍ଲକ୍ ପାଇଁ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ୨୩ ଓ ୨୪ ତାରିଖ ଦୁଇ ଦିନ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷା କେନ୍ଦ୍ର ବନ୍ଦ ରହିବ । ତେବେ ଯେଉଁ ଶିକ୍ଷାନୁଷ୍ଠାନରେ ଅତ୍ୟାବଶ୍ୟକ ପରୀକ୍ଷା ନିର୍ଦ୍ଧାରିତ ରହିଛି, ସେଗୁଡ଼ିକୁ ଏହି ନିଷ୍ପତ୍ତିରୁ ବାଦ୍ ଦିଆଯାଇଛି । ଏହା ସହ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗା ଯାତାୟାତ ଉପରେ ରୋକ ଲଗାଯାଇଛି ।

ସେପଟେ ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଗୋପାଳପୁର ଠାରୁ ୨୫୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ପୁରୀରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି ଅବପାତ । କଳିଙ୍ଗପାଟନମ୍ରୁ ୩୩୦ କି.ମି., ବିଶାଖାପାଟଣାରୁ ୪୧୦ କି.ମି. ଦୂରରେ ରହିଥିବା ବେଳେ ୨୩ ରାତି ଓ ୨୪ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେଇ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଛି ।

ମଙ୍ଗଳବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର । ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷକରି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ ।

Also Read:- ଅଶାନ୍ତ ସମୁଦ୍ର, ବଢ଼ିଲା ବିପଦ ! ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା, ମୁତୟନ ହେଲେ ଲାଇଫ୍‌ଗାର୍ଡ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବଡ଼ ବର୍ଷାକୁ ନଜରରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍, ଭୂସ୍ଖଳନ ସମ୍ଭାବନା ଥିବାରୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Watch Video: