ପୁରୀ ୨୨।୯: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସମୁଦ୍ର କୂଳରେ ନାଲି ପତାକା ଲଗାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର କୂଳରେ ନାଲି ପତାକା ଲଗାଇ ପର୍ଯ୍ୟଟକଙ୍କୁ ସଚେତନ କରାଇଛି ପ୍ରଶାସନ । ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ରରେ ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ର କୂଳର ବିଭିନ୍ନ ସେକ୍ଟରରେ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯାଇଛି ।

ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ଉଚ୍ଚ ଜୁଆର ଆସିବାର ଯଥେଷ୍ଟ ସମ୍ଭାବନା ଥିବାରୁ କୌଣସି ପର୍ଯ୍ୟଟକ ଯେଭଳି ସମୁଦ୍ରରେ ସ୍ନାନ ନ କରନ୍ତି ସେନେଇ ସଚେତନ କରାଇବାକୁ ଲାଇଫ୍ ଗାର୍ଡ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିରୋ ଡ୍ରାଉନିଙ୍ଗ ଉପରେ ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

ସେହିପରି ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନେ କୂଳକୁ ଫେରି ଆସିଛନ୍ତି । ମତ୍ସ୍ୟଜୀବୀ ମାନେ ନିଜର ସମସ୍ତ ଡଙ୍ଗା, ଜାଲ ଓ ମେସିନ୍ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମତ୍ସ୍ୟ ବିଭାଗ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଗୋପାଳପୁର ଠାରୁ ୨୫୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ପୁରୀରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି ଅବପାତ । କଳିଙ୍ଗପାଟନମ୍ରୁ ୩୩୦ କି.ମି., ବିଶାଖାପାଟଣାରୁ ୪୧୦ କି.ମି. ଦୂରରେ ରହିଥିବା ବେଳେ ୨୩ ରାତି ଓ ୨୪ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେଇ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଛି ।

Also Read:- ଖୋର୍ଦ୍ଧା ଜିଲ୍ଲାରେ ୩ ଦିନ ସବୁ ସ୍କୁଲ ଛୁଟି, ଗଭୀର ଅବପାତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ମଙ୍ଗଳବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର । ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷକରି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବଡ଼ ବର୍ଷାକୁ ନଜରରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍, ଭୂସ୍ଖଳନ ସମ୍ଭାବନା ଥିବାରୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Watch Video: