ନୂଆଦିଲ୍ଲୀ: ଅକ୍ଟୋବର ୧ ତାରିଖ, ମାନେ ଆଜି ଠାରୁ ଏକାଧିକ କ୍ଷେତ୍ରରେ ନୂଆ ପରିବର୍ତ୍ତନ ହୋଇଛି। ଏଥିରେ ରୋଷେଇ ଗ୍ୟାସ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ଡିଜିଟାଲ ମେପେଣ୍ଟ, ଓ ସରକାରୀ ଯୋଜନା ସହ ଜଡ଼ିତ ୭ଟି ଦିଗରେ ନୂଆ ନିୟମ ଲାଗୁ ହୋଇଛି। ସେହିପରି ଦେଶରେ କିଛି ସାମଗ୍ରୀର ଦର ବି ମହଙ୍ଗା ହୋଇଛି। କେଉଁସବୁ ପରିବର୍ତ୍ତନ ହୋଇଛି ଆସନ୍ତୁ ସେଗୁଡ଼ିକୁ ବୁଝିବା।

୧. ଅକ୍ଟୋବର -୧ କମର୍ସିଆଲ ସିଲିଣ୍ଡର ମହଙ୍ଗା

ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦର ୭୦ ଟଙ୍କା ମହଙ୍ଗା କରିଛନ୍ତି। ଏହାଫଳରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକର ରନ୍ଧନ ଖର୍ଚ୍ଚ ବଢ଼ିବ। ତେଣୁ ସେମାନେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢ଼ାଇପାରନ୍ତି। ବାହାଘର କ୍ୟାଟରିଂ କାମ ବି ମହଙ୍ଗା ହୋଇପାରେ।

୨. ଭେରିଫିକିସେନ ନକଲେ ମିଳିବନି ସବ୍ସିଡି

୧ ଯେଉଁ ଗ୍ରାହକମାନେ ସବସିଡି ରେଟ୍ରେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରୁଛନ୍ତି ସେମାନେ ଯଦି ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ (BAA / e-KYC) କରି ନଥିବେ ସେମାନଙ୍କୁ ଅକ୍ଟୋବର ୧ରୁ ଆଉ ସବ୍ସିଡି ମିଳିବ ନାହିଁ। ଯେଉଁମାନଙ୍କର ପୂର୍ବରୁ e-KYC ଅଛି ସେମାନଙ୍କ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ। ଇ-କେୱାଇସି କଲେ ଯାଇ ପୁଣିଥରେ ସବ୍ସିଡି ମିଳିପାରିବ।

୩. ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଚାର୍ଜ

୧୫ ଅକ୍ଟୋବର, ୨୦୨୬ ଠାରୁ ₹୨,୦୦୦ ରୁ ଅଧିକ ମୂଲ୍ୟର କିଛି ନିର୍ଦ୍ଦିଷ୍ଟ ମର୍ଚ୍ଚଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଏକ ବ୍ୟବସାୟୀ ରିହାତି ହାର(ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଲାଗୁ ହେବ। l ତେବେ ଯେଉଁ ଛୋଟଦୋକାନୀମାନେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ କରୁଥିବେ ସେମାନଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ। ତେବେ ଯଦି ଛୋଟଦୋକାନୀ ଲଗାତର ୩ ମାସ ଧରି ମାସକ ୧ ଲକ୍ଷ ୟୁପିଆଇ ଟ୍ରାଞ୍ଜାକ୍ସନ କରିବେ ତେବେ ବ୍ୟାଙ୍କ ସେମାନଙ୍କୁ ବଡ଼ ବେପାରୀ ବର୍ଗରେ ଚିହ୍ନଟ କରି ଚାର୍ଜ ଲଗାଇବା ଆରମ୍ଭ କରିବେ। ତେବେ ଲୋକଙ୍କ ମଧ୍ୟରେ ହେଉଥିବା ଟ୍ରାଞ୍ଜାକ୍ସନ ପୂର୍ବପରି ମାଗଣା ରହିବ।

୪. ବିମାନ ଇନ୍ଧନ ମହଙ୍ଗା

ବିମାନରେ ବ୍ୟବହୃତ ହେଉଥିବା ବିମାନ ଟରବାଇନ୍ ଇନ୍ଧନ, ଲିଟର ପ୍ରତି ₹16 ମହଙ୍ଗା ହୋଇଛି। ଘରୋଇ ବିମାନ ସେବା ପାଇଁ ମୂଲ୍ୟ ୧୨୧ ଟଙ୍କାରୁ ରୁ ୧୩୭ ଟଙ୍କାକୁ ବୃଦ୍ଧି ପାଇଛି। ବିମାନ ପରିଚାଳନା ଖର୍ଚ୍ଚର ପ୍ରାୟ ୪୦% ଇନ୍ଧନର ଅଟେ। ତେଣୁ ଇନ୍ଧନ ମୂଲ୍ୟ ବଢ଼ିଲେ ଭଡ଼ା ବି ବଢ଼ିପାରେ। ଫଳରେ ବିମାନ ଯାତ୍ରାକୁ ଅଧିକ ମହଙ୍ଗା ହେବ।

୫. ଏସି-ଟିଭି ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଜି ଠାରୁ ୮% ମହଙ୍ଗା

ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏସି, ଏଲ୍ଇଡି ଟିଭି, ୱାସିଂ ମେସିନ୍ ଏବଂ ରେଫ୍ରିଜରେଟରର ମୂଲ୍ୟ ୩% ରୁ ୮% ବୃଦ୍ଧି କରୁଛନ୍ତି। ୨୦୨୬ ମସିହାରେ କମ୍ପାନୀଗୁଡ଼ିକ ଦ୍ୱାରା ଏହା ତୃତୀୟ ବୃଦ୍ଧି। ଆନ୍ତର୍ଜାତୀୟ ବଜାରରେ ତମ୍ବା, ଷ୍ଟିଲ୍, ଆଲୁମିନିୟମ ଏବଂ ଅଶୋଧିତ ତେଲ ଭଳି କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାର ଅସ୍ଥିରତା ଯୋଗୁ କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି। ପୂଜା ବଜରରେ ଏସବୁ ସାମଗ୍ରୀ ମହଙ୍ଗା ହୋଇପାରେ। ତେବେ କିଛି ପୁରୁଣା ଷ୍ଟକ୍ ରହିଛି, ସେଗୁଡ଼ିକ ସରିଲା ପରେ ଏସବୁ ସାମଗ୍ରୀ ମହଙ୍ଗା ମିଳିପାରେ।

୬. ରେପୋ ରେଟ୍ ଉପରେ ନିଷ୍ପତ୍ତି

RBIର ମୁଦ୍ରା ନୀତି କମିଟିର ବୈଠକ ୫ ଅକ୍ଟୋବରରୁ ୭ ଅକ୍ଟୋବର ଦୁଇଦିନ ପାଇଁ ହେବ। ଏହି ବୈଠକରେ ରେପୋ ହାର ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ। ଏଥର, ରେପୋ ହାର ୦.୨୫% ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ମାସ ସମୀକ୍ଷା ବୈଠକ ପରେ ରେପୋ ରେଟ୍ ୫.୨୫% ରହିଛି। RBI ରେପୋ ହାର ବୃଦ୍ଧି କଲେ ବ୍ୟାଙ୍କଗୁଡ଼ିକ ଗୃହ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ବୃଦ୍ଧି କରିବେ। ଫଳରେ EMI ମହଙ୍ଗା ହେବ। ସେହିପରି ରେପୋ ହାର କମିଲେ EMI ଶସ୍ତା ହେବ।

୭. SBI ର ATMରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ଯେଉଁମାନଙ୍କର SBI ଆକାଉଣ୍ଟରେ ଦରମା ଆସୁଛି ସେମାନେ ଅନ୍ୟ ବ୍ୟାଙ୍କର ATM କିମ୍ବା ADWM ମେସିନ ବ୍ୟବହାର କରି ଟଙ୍କା ଉଠାଇଲେ ମାତ୍ର ୫ଟି ଟ୍ରାଞ୍ଜାକ୍ସନ ମାଗଣା ମିଳିବ। ଏହାପରେ ଚାର୍ଜ ଲାଗିବ। ପୂର୍ବରୁ ଏହି ସୀମା ୧୦ଟି ଥିଲା। ଏଥିରେ ବାଲାନ୍ସ ଯାଞ୍ଚ ଏବଂ ନଗଦ ଉଠାଣ ଅନ୍ତର୍ଭୁକ୍ତ ରହିଛି।

୮. ବଲ୍କକ ଏଫ୍ଡି ସୁଧ ହାର ପ୍ରକାଶରେ ନୂଆ ନିୟମ

ବଲ୍କ ଫିକ୍ସଡ୍ ଡିପୋଜିଟ୍ (FD) ଉପରେ ସୁଧ ହାର ନିର୍ଦ୍ଧାରଣ ଓ ପ୍ରକାଶ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ନୂଆ ନିୟମ ଆଣୁଛି। ଏହି ନିୟମ ମଧ୍ୟ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ବଲ୍କ ଡିପୋଜିଟ୍ର ସୁଧ ହାର ଆଗୁଆ ପ୍ରକାଶ କରିବାକୁ ପଡ଼ିବ। ଏହାସହ ପ୍ରତିଦିନ ସକାଳ ୧୦ଟାରେ ଲାଗୁ ହେଉଥିବା ବଲ୍କ ଡିପୋଜିଟ୍ ସୁଧ ହାର ମଧ୍ୟ ପ୍ରକାଶ କରିବାକୁ ହେବ।

ସମାନ ପ୍ରକାରର ବଲ୍କ ଡିପୋଜିଟ୍ ପାଇଁ ସାଧାରଣତଃ ସମାନ ସୁଧ ହାର ଦେବାକୁ ପଡ଼ିବ। ତେବେ ଡିପୋଜିଟ୍ରେ ଲାଗୁ ହେଉଥିବା ଲିକ୍ୟୁଡିଟି କଭରେଜ୍ ରେସିଓ (LCR) ଟ୍ରିଟମେଣ୍ଟ ଅନୁସାରେ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ଭିନ୍ନତା ରଖିପାରିବେ। ତେବେ ଏହି ପରିବର୍ତ୍ତନ ବଲ୍କ ଆମାଉଣ୍ଟ ମାନେ ୩ କୋଟିରୁ ଅଧିକ ଏଫ୍ଡି ପାଇଁ ଉଦ୍ଦିଷ୍ଟ ହେବ।

୯. NPS ଚାର୍ଜରେ ପରିବର୍ତ୍ତନ

ନ୍ୟାସନାଲ ପେନସନ ସିଷ୍ଟମ (NPS) ଏବଂ ଏନପିଏସ୍ ଲାଇଟ୍ ଅଧୀନରେ ପଏଣ୍ଟ ଅଫ୍ ପ୍ରେଜେନ୍ସ (PoP) ଗୁଡ଼ିକ ଗ୍ରାହକଙ୍କଠାରୁ ନେଇପାରୁଥିବା ଚାର୍ଜରେ ମଧ୍ୟ ପରିବର୍ତ୍ତନ ଆସିବ। ପେନସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (PFRDA) ପକ୍ଷରୁ ସଂଶୋଧିତ ଚାର୍ଜ ବ୍ୟବସ୍ଥା ଅକ୍ଟୋବର ୧ରୁ ଲାଗୁ ହେବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ପିଓପି ମାଧ୍ୟମରେ ଏନପିଏସ୍ରେ ପଞ୍ଜୀକରଣ କରୁଥିବା ଗ୍ରାହକଙ୍କୁ ପ୍ରତ୍ୟେକ ପରମାନେଣ୍ଟ ରିଟାୟରମଣ୍ଟ ଆକାଉଣ୍ଟ ନମ୍ବର (PRAN) ପାଇଁ ଥରେ ୨୦୦ ଟଙ୍କା ଅନବୋର୍ଡିଂ ଚାର୍ଜ ଦେବାକୁ ପଡ଼ିବ। ଏହି ୨୦୦ ଟଙ୍କା ଏକାଥରକେ ଗ୍ରାହକଙ୍କ ଆକାଉଣ୍ଟରୁ କଟାଯିବ ନାହିଁ।

୧୦. ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ

ଜନ୍ମ ଏବଂ ମୃତ୍ୟୁର ବିଳମ୍ବିତ ପଞ୍ଜୀକରଣ ପାଇଁ ନିୟମ ମଧ୍ୟ ଅକ୍ଟୋବର ୧ ରୁ ପରିବର୍ତ୍ତନ ହେଉଛି। ୨୧ ଦିନ ମଧ୍ୟରେ ପଞ୍ଜୀକରଣ ମାଗଣା ରହିବ। ବିଳମ୍ବିତ ପଞ୍ଜୀକରଣ ପାଇଁ ଅତିରିକ୍ତ ଦସ୍ତାବିଜ ଓ ଶୁଳ୍କ ଆବଶ୍ୟକ ହେବ ଏବଂ ଗୋଟିଏ ବର୍ଷରୁ ଅଧିକ ବିଳମ୍ବ କ୍ଷେତ୍ରରେ ଅନୁମୋଦନ ପାଇଁ କଠୋର ନିୟମ ଲାଗୁ ହେବ। ଯେଉଁ ମାମଲାଗୁଡ଼ିକରେ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି, ସେହି ପ୍ରକ୍ରିୟାରେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ପ୍ରଥମ ଶ୍ରେଣୀଙ୍କ ନିର୍ଦ୍ଦେଶ ସାମିଲ ହେବ। ଏହି ପରିବର୍ତ୍ତନର ଲକ୍ଷ୍ୟ ହେଉଛି ବିଳମ୍ବିତ ପଞ୍ଜୀକରଣ ପାଇଁ ଯାଞ୍ଚକୁ ସୁଦୃଢ଼ କରିବା ଏବଂ ଭୁଲ କିମ୍ବା ଜାଲିଆତି ରେକର୍ଡର ସମ୍ଭାବନାକୁ ହ୍ରାସ କରିବା।

୧୧. ପ୍ରବାସୀ ଭାରତୀୟଙ୍କଠାରୁ ସମ୍ପତ୍ତି କ୍ରୟ

ପ୍ରବାସୀ ଭାରତୀୟ ବିକ୍ରେତାଙ୍କଠାରୁ ସମ୍ପତ୍ତି କ୍ରୟ କରୁଥିବା ବାସିନ୍ଦା ବ୍ୟକ୍ତି ଏବଂ HUF(ହିନ୍ଦୁ ହିନ୍ଦୁ ଅବିଭକ୍ତ ପରିବାର)ମାନେ ପୃଥକ TAN(ଟ୍ୟାକ୍ସ ଡିଡକ୍ସନ) ପାଇବା ପରିବର୍ତ୍ତେ TDS ଅନୁପାଳନ ପାଇଁ ସେମାନଙ୍କର ପାନ ବ୍ୟବହାର କରିପାରିବେ। ପରିବର୍ତ୍ତନଗୁଡ଼ିକ ଅକ୍ଟୋବର ୧ ରୁ ପରିବାରର ଆର୍ଥିକ, ବ୍ୟାଙ୍କିଙ୍ଗ, କର ଏବଂ ଅନ୍ୟାନ୍ୟ ନିତ୍ୟ ଆର୍ଥିକ କାରବାରକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

୧୨. ଗୋଟିଏ ମେସେଜ୍ ପାଇଁ WhatsApp ନେବ ୧୪ ପଇସା

ଅକ୍ଟୋବର ୧ରୁ ବଦଳିବ WhatsApp Business Platformର ମେସେଜ୍ ଚାର୍ଜ । ଏବେ ଜଣେ ଗ୍ରାହକ ବ୍ୟବସାୟୀଙ୍କୁ ମେସେଜ୍ କରିବା ପରେ ୨୪ ଘଣ୍ଟା ମଧ୍ୟରେ ବ୍ୟବସାୟୀ ମାଗଣାରେ ଉତ୍ତର ଦେଇପାରୁଛନ୍ତି। ଏହି ସମୟ ମଧ୍ୟରେ ଅର୍ଡର କନଫର୍ମେସନ୍ କିମ୍ବା ଡେଲିଭରି ଅପଡେଟ୍ ଭଳି ୟୁଟିଲିଟି ମେସେଜ୍ ମଧ୍ୟ ପଠାଯାଉଛି। କିନ୍ତୁ ନୂଆ ନିୟମରେ ଏହିୟୁଟିଲିଟି ମେସେଜ୍ ଉପରେ ଚାର୍ଜ ଲାଗିବ।

ତେବେ ପ୍ରତିଟି ମେସେଜ୍ ପାଇଁ ଟଙ୍କା ଦେବାକୁ ପଡ଼ିବ କି? ନା । ପ୍ରତି ମାସରେ ପ୍ରତ୍ୟେକ ବ୍ୟବସାୟୀକ ନମ୍ବର ପାଇଁ ପ୍ରଥମ ୧ ହଜାରଟି ଉତ୍ତର ମାଗଣା ରହିବ। ଏହା ପରେଅତିରିକ୍ତ ମେସେଜ୍ ପାଇଁ ଚାର୍ଜ ଲାଗିବ ।

ଭାରତରେଗୋଟିଏ ୟୁଟିଲିଟି ମେସେଜ୍ ପାଇଁ ଚାର୍ଜ ପ୍ରାୟ ୦.୧୧୫ ଟଙ୍କା ବା ୧୨ ପଇସା ।ଏହା ଉପରେ ୧୮ ପ୍ରତିଶତ GST ଲାଗିବ । ଅର୍ଥାତ୍୧ ହଜାରଟି ଚାର୍ଜଯୋଗ୍ୟ ମେସେଜ୍ ପାଇଁ GST ସହ ପ୍ରାୟ ୧୩୬ ଟଙ୍କା ଖର୍ଚ୍ଚ ହୋଇପାରେ।ଯଦି ମାସକୁ ୧,୫୦୦ଟି ଗ୍ରାହକଙ୍କୁ ଉତ୍ତର ଦିଅନ୍ତି, ତେବେ ପ୍ରଥମ ୧ ହଜାରଟି ମାଗଣା। ବାକି ୫୦୦ଟି ପାଇଁ GST ସହ ପ୍ରାୟ ୬୮ ଟଙ୍କା ଦେବାକୁ ପଡ଼ିବ।

ତେବେ ସାଧାରଣ WhatsApp ୟୁଜରଙ୍କ ପାଇଁ ଚିନ୍ତାର କାରଣ ନାହିଁ। ଗ୍ରାହକ ନିଜେ ବ୍ୟବସାୟୀଙ୍କୁ ମେସେଜ୍ କଲେ ତାଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ବ୍ୟବସାୟୀଙ୍କଠାରୁ ମେସେଜ୍ ପାଇଲେ ମଧ୍ୟ ଗ୍ରାହକଙ୍କ ଉପରେ କୌଣସି ଚାର୍ଜ ନାହିଁ ।

ଅର୍ଥାତ୍, ନୂଆ ନିୟମର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ଉପରେ ପଡ଼ିବ । ବିଶେଷକରି ଅଧିକ ସଂଖ୍ୟକ ଗ୍ରାହକଙ୍କୁ WhatsApp ମାଧ୍ୟମରେ ଅର୍ଡର ଓ ଡେଲିଭରି ଅପଡେଟ୍ ପଠାଉଥିବା ବ୍ୟବସାୟୀଙ୍କ ମାସିକ ଖର୍ଚ୍ଚ ବଢ଼ିପାରେ ।