ନୂଆଦିଲ୍ଲୀ: ପାର୍ବଣ ଅଫରରେ ଏସି, ଫ୍ରିଜ୍, ଟିଭି କିମ୍ବା ୱାଶିଂ ମେସିନ୍ କିଣିବାକୁ ଯୋଜନା କରୁଛନ୍ତି କି? ତାହେଲେ ଆପଣଙ୍କୁ ଏହି ଖବର ନିରାଶ କରିପାରେ। ଏଥର ଅଫରରେ ଏସବୁ ଶସ୍ତା ହେବନି ବରଂ ମହଙ୍ଗା ହୋଇଯିବ। କାରଣ ଅକ୍ଟୋବର ୧ରୁ ଅନେକ କଞ୍ଜ୍ୟୁମର୍ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍ସେସର ଦାମ ବଢ଼ିବାକୁ ଯାଉଛି। ତେଣୁ କେଉଁ ସାମଗ୍ରୀର ଦାମ କେତେ ବଢ଼ିବ, ଆଉ ଦୀପାବଳି ପୂର୍ବରୁ ପୁରୁଣା ଦାମରେ ସାମଗ୍ରୀ ମିଳିବ କି? ଜାଣିବା ପାଇଁ ପଢ଼ନ୍ତୁ ପୂରା ରିପୋର୍ଟ।

ପାର୍ବଣ ବଜାରରେ ଗ୍ରାହକଙ୍କୁ ଦରବୃଦ୍ଧି ଝଟ୍‌କା ଲାଗିବ। ଅଫରରେ ଇଲେକ୍ଟ୍ରୋନିକ୍ସ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କୁ ଏଥର କିନ୍ତୁ ଦେବାକୁ ପଡ଼ିବ ଅଧିକ ଟଙ୍କା। ଇଣ୍ଡଷ୍ଟ୍ରି ଅନୁମାନ ଅନୁସାରେ, ACର ଦାମ ୫ରୁ ୮ ପ୍ରତିଶତ, ଏବଂ TV, ଫ୍ରିଜ୍ ଓ ୱାଶିଂ ମେସିନର ଦାମ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

କପର୍, ଷ୍ଟିଲ୍, ଆଲୁମିନିୟମ୍ ଓ କ୍ରୁଡ୍ ଅଏଲ୍ ସମ୍ପର୍କିତ କଚ୍ଚାମାଲର ଦାମ ବୃଦ୍ଧି ସହ ମୁଦ୍ରା ବିନିମୟ ହାରରେ ଉତ୍ଥାନ-ପତ୍ତନ ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। ତେଣୁ ଦର ବୃଦ୍ଧି ହୋଇପାରେ ବୋଲି ଇଣ୍ଡଷ୍ଟ୍ରୀ ସୂତ୍ରରୁ ଖବର ଆସୁଛି। ତେବେ ୨୦୨୬ରେ ଏହା ଇଲେକ୍ଟ୍ରୋନିକ୍ସ ଶିଳ୍ପର ତୃତୀୟ ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଉଛି।

ହାୟର୍ ଇଣ୍ଡିଆ ଅକ୍ଟୋବର ୧ରୁ ACର ଦାମ ୫ ପ୍ରତିଶତ ବଢ଼ାଇବାକୁ ଯାଉଛି। କମ୍ପାନୀ ଅନୁସାରେ, ଗତ ଏକ ବର୍ଷରେ କପର୍ ଦାମ ୮ରୁ ୯ ହଜାର ଡଲାରରୁ ବଢ଼ି ୧୪,୫୦୦ ଡଲାର ପ୍ରତି ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି। ତେଣୁ ଦର ବୃଦ୍ଧି ଅନିର୍ବାର୍ଯ୍ୟ ହୋଇଛି।

ତେବେ ଗ୍ରାହକଙ୍କ ପାଇଁ ରହିଛି ଟିକେ ଆଶ୍ୱସ୍ତି। ଅଗଷ୍ଟ-ସେପ୍ଟେମ୍ବରରେ ଡିଲର୍ମାନେ ପୁରୁଣା ଦାମରେ ଷ୍ଟକ୍ କିଣି ରଖିଥିବାରୁ ବଜାରରେ ପ୍ରାୟ ୧ରୁ ୧.୫ ମାସର ପୁରୁଣା ଷ୍ଟକ୍ ରହିଛି। ତେଣୁ ଦୀପାବଳି ପର୍ଯ୍ୟନ୍ତ କିଛି ସାମଗ୍ରୀ ପୁରୁଣା ଦାମରେ ମିଳିବାର ସୁଯୋଗ ରହିପାରେ।