ନୂଆଦିଲ୍ଲୀ ୧୧।୦୯; ସକାଳୁ ସକାଳୁ ରାଜପଥରେ ମୃତ୍ୟୁର ତାଣ୍ଡବ। ଦୁଇ ଗାଡ଼ି ମଧ୍ୟରେ ଭୟଙ୍କର ଧକ୍କା। ମହାରାଷ୍ଟ୍ରର ଭଣ୍ଡାରାରୁ ଆସିଛି ଏଭଳି ଛାତିଥରା ଦୁର୍ଘଟଣାର ଖବର। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଶିଶୁଙ୍କ ସମେତ ଚାଲିଯାଇଛି ୮ ଜଣଙ୍କ ଜୀବନ। ଶୁକ୍ରବାର ସକାଳେ ନାଗପୁର-ରାୟପୁର ଜାତୀୟ ରାଜପଥ-୫୩ର ପିମ୍ପଲଗାଓଁ ରାସ୍ତାରେ ଥିବା ଭାଉ ଢାବା ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଏକ ବୋଲେରୋ ଗାଡ଼ି ଏକ ଟ୍ରକ୍ ସହ ଧକ୍କା ହେବା ପରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।

ମୃତକଙ୍କ ମଧ୍ୟରେ ୫ ଜଣ ବୟସ୍କ ଏବଂ ୩ ଜଣ ଶିଶୁ ରହିଛନ୍ତି। ସମସ୍ତେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କ। ଗାଡ଼ି ଭିତରେ ଫସି ରହିଥିଲେ ଯାତ୍ରୀ। ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୋଲିସ ଓ ପ୍ରଶାସନିକ ଟିମ୍ ମଧ୍ୟ ପହଞ୍ଚି ଆହତମାନଙ୍କୁ ଗାଡ଼ିରୁ ବାହାର କରିଥିଲେ।

ଏହି ଦୁର୍ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସ୍ଥାନିୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି। ଗୋଟିଏ ମୁହୂର୍ତ୍ତର ଅସାବଧାନତା… ଆଉ ନିମିଷକେ ଉଜାଡ଼ିଦେଲା ଅନେକ ପରିବାର। ୩ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଏହି ଦୁର୍ଘଟଣାର ଭୟାବହତାକୁ ଆହୁରି ବଢ଼ାଇଦେଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ, ଦୁର୍ଘଟଣାର ପ୍ରକୃତ କାରଣ କ’ଣ— ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।