ଚେନ୍ନାଇ: ତାମିଲନାଡ଼ୁରେ ମହିଳା କଲେକ୍ଟରଙ୍କ ସହ କଥିତ ଯୌନ ଉତ୍ପୀଡ଼ନ ମାମଲାରେ ମାଦ୍ରାସ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଜୋଶେଫ ବିଜୟଙ୍କ ନେତୃତ୍ଵାଧୀନ ସରକାରଙ୍କୁ କଡ଼ା ତାଗିଦ୍ କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ବିଜୟ ସରକାର ଆପଣ ଏହି ମାମଲାରେ କଣ ପଦକ୍ଷେପ ନେଇଛନ୍ତି।

କ୍ଷମତାସୀନ ଟିଭିକେ ବିଧାୟକ ସି ଅରୁଲ ଭିଗ୍ନେଶଙ୍କ ବିରୋଧରେ କଲ୍ଲାକୁରିଚୀ ଜିଲ୍ଲା କଲେକ୍ଟର ଜେଇ ପଦ୍ମଜା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କୁ ବିଧାୟକ ଅଶ୍ଳୀଳ ମେସେଜ ପଠାଇବା ଏବଂ ଦୁର୍ବ୍ୟବହାର କରିଥିବା ଜିଲ୍ଲାପାଳ କହିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ପଚାରିଛନ୍ତି ଯେ, ପ୍ରଶାସନ କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି।

Also Read: ପ୍ରେମିକାକୁ ହତ୍ୟା କଲା ଇଞ୍ଜିନିୟର ପ୍ରେମିକ : ରାତି ସାରା ମୃତଦେହକୁ ଜଗି ବସିଲା, ସକାଳେ ପୋଲିସକୁ ନିଜେ ଡାକିଲା

ଅଦାଲତ ଏହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଯେ, ଅନେକ ମାସ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଚାରପତି ଲକ୍ଷ୍ମୀନାରାୟଣ ସରକାରଙ୍କ ନିଷ୍କ୍ରିୟତା ଏବଂ କାର୍ଯ୍ୟଶୈଳୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ

ମାଦ୍ରାସ ହାଇକୋର୍ଟ ସରକାରଙ୍କୁ ପଚାରିଛନ୍ତି ଯେ, ଜୁଲାଇ ୩୧ରେ ଘଟଣା ସଂପର୍କରେ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହି ସମୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ? ଏତେ ମାସ ପରେ ବି କାହିଁକି ଆକ୍ସନ ନିଆଯାଇ ନାହିଁ। କେଉଁ କାରଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତି ଏବଂ ବିଳମ୍ବ ଘଟିଛି ଏହା ଉପରେ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି।

Also Read: ପ୍ରଦୂଷଣ ପାଇଁ ଦିଲ୍ଲୀ ଏକା ଦାୟୀ ନୁହେଁ : ପଡୋଶୀ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଅଶ୍ଳୀଳ ମେସେଜ ସହ ନିକଟତର ହେବାକୁ ଚେଷ୍ଟା

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ, ଜିଲ୍ଲାପାଳ ସୋମବାର ଏସପିଙ୍କ ନିକଟରେ ବିଧାୟକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି। ଜିଲ୍ଲାପାଳ ଅଭିଯୋଗ କରିଛନ୍ତି ଯେ, ବିଧାୟକ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ସହ ଶାରୀରିକ ଭାବେ ନିକଟତର ହେବାକୁ ଚେଷ୍ଟା କରିଥିଲେ। ଏହା ବାଦ୍ ପିନ୍ଧିବା ଏବଂ ଦେଖିବାର ଶୈଳୀକୁ ନେଇ ଅଶ୍ଳୀଳ ମେସେଜ ପଠାଉଥିଲେ। ତେବେ ବିଧାୟକ ସି ଅରୁଲ ଭିଗ୍ନେଶ ପ୍ରଥମରୁ ହିଁ ଜିଲ୍ଲାପାଳଙ୍କୁ ଅନୁଚିତ ମେସେଜ ପଠାଇବା ଅଭିଯୋଗକୁ ଖଣ୍ଡନ କରି ସାରିଛନ୍ତି। ଏହି ଅଭିଯୋଗକୁ ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।