ରାଉରକେଲା ୨୯।୦୯ : ରାଉରକେଲା ପୋଲିସ ପଞ୍ଝାରେ ୨ ସାଇବର ଠକ । ବେଆଇନ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର୍ ଠକେଇ ଘଟଣାର ପର୍ଦ୍ଦାଫାଶ୍ । ଗିରଫ ଦୁଇ ଠକ ହେଲେ ରାଉରକେଲା ରେଲୱେ କଲୋନୀର ଶେଖ୍ ଆମନ୍ ଏବଂ ପ୍ଲାଣ୍ଟ ସାଇଟ୍ ଥାନା ଗାନ୍ଧୀ ରୋଡ ଅଞ୍ଚଳର ୟସରାଜ ସିଂ। ଏମାନଙ୍କ ନିକଟରୁ ଗୋଟିଏ ସ୍କୁଟି , ମୋବାଇଲ୍ , ତିନୋଟି ସିମ କାର୍ଡ, ATM କାର୍ଡ, ବ୍ୟାଙ୍କ୍ ପାସ୍ ବୁକ୍ , ଚେକ୍ ବୁକ୍ , ଆଧାର କାର୍ଡ ଜବତ ହୋଇଛି ।

ଖବର ଅନୁଯାୟୀ, ଲୋକଙ୍କୁ ପ୍ରଲୋଭନ ଦେଖାଇ , ଲୋକଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି, ବ୍ୟାଙ୍କ୍ ଆକାଉଣ୍ଟ ସାଇବର୍ ଠକଙ୍କୁ ବିକ୍ରି କରି ଚାଲିଥିଲା ସାଇବର୍ କ୍ରାଇମ୍ । ବନ୍ଧମୁଣ୍ଡା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ କରି ପଚରାଉଚରା କରିବା ପରେ ଏହି ସାଇବର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ ହୋଇଥିଲା । ତଦନ୍ତ ପରେ ବିହାର ପାଟଣାର ଜଣେ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଏହି ଦୁଇ ଅଭିଯୁକ୍ତ ରାଉରକେଲାର ସାଧାରଣ ଲୋକଙ୍କୁ ଟଙ୍କା ଏବଂ ଚାକିରିର ପ୍ରଲୋଭନ ଦେଖାଇ ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଇବା ସହ ଏଟିଏମ୍ କାର୍ଡ, ସିମ୍ କାର୍ଡ ଏବଂ ପାସ୍ ବୁକ୍ ସଂଗ୍ରହ କରୁଥିଲେ ଏବଂ ଏହାକୁ ସାଇବର ଅପରାଧୀକୁ ସପ୍ଲାଇ କରୁଥିଲେ । ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଏବଂ ତଥ୍ୟ ବାବଦକୁ ସେମାନେ ପ୍ରାୟ ୧୫,୦୦୦ ଟଙ୍କା ଲେଖାଏଁ ପାଉଥିଲେ। ଏହି ଆକାଉଣ୍ଟଗୁଡ଼ିକ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ଦେଶର ବିଭିନ୍ନ ରାଜ୍ୟର ୨୦ଟି ସାଇବର କ୍ରାଇମ୍ ଅଭିଯୋଗ ସହ ଜଡ଼ିତ ରହିଛି। ପ୍ରାୟ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍ ଠକେଇ କାରବାର ହୋଇଥିବା ଜଣାପଡ଼ିଛି।