ନୂଆଦିଲ୍ଲୀ: ଲୋକସଭା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଆଗକୁ ଲୋକସଭାରେ ୮୧୬ ସାଂସଦ ରହିପାରନ୍ତି । ସେହିଭଳି ମହିଳାଙ୍କ ପାଇଁ ରହିବ ୨୩୭ ଆସନ । ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଥିବା ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି। ଏହି ସଂଶୋଧନରେ ମହିଳା ସାଂସଦଙ୍କ ସଂଖ୍ୟା ଏକ ତୃତୀୟାଂଶ ହେବ। ଏହି ସଂଶୋଧିତ ବିଲ୍ ଏହି ଅଧିବେଶନରେ ହିଁ ଉପସ୍ଥାପିତ ହୋଇପାରେ। ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଏହି ବିଲ୍ ଉପସ୍ଥାପନ କରାଯାଇପାରେ। ଏହା ଦ୍ୱାରା ଲୋକସଭାରେ ସଦସ୍ୟଙ୍କ ସଂଖ୍ୟା ୮୧୬ କୁ ବୃଦ୍ଧି ପାଇପାରେ । ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ୨୭୩ କୁ ବୃଦ୍ଧି ପାଇବ।

ସୂତ୍ର ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ସଂସଦରେ ବିଭିନ୍ନ ଦଳର ନେତାଙ୍କ ସହ ଏହି ଆଇନରେ ସଂଶୋଧନ ସମ୍ପର୍କରେ ଏକ ବୈଠକ କରିଛନ୍ତି। ସେ ଏନସିପି (ଏସପି), ବିଜେଡି, ଶିବସେନା (ଉଦ୍ଧବ ଠାକରେ) ଏବଂ ୱାଇଏସଆର କଂଗ୍ରେସ ନେତାଙ୍କ ସହ ସାକ୍ଷାତ କରିଛନ୍ତି। କଂଗ୍ରେସ ଏବଂ ଟିଏମସି ସହିତ ଏପର୍ଯ୍ୟନ୍ତ କୌଣସି ବୈଠକ ହୋଇନାହିଁ। ସଂଶୋଧିତ ଆଇନ ଉପରେ ସହମତି ସୃଷ୍ଟି କରିବା ପାଇଁ ପ୍ରୟାସ ଚାଲିଛି । ଫଳରେ ବିଲ୍ ବିନା କୌଣସି ବାଧାରେ ପାରିତ ହୋଇପାରିବ।

କେନ୍ଦ୍ର ସରକାର ମହିଳା ସଂରକ୍ଷଣ ପାଇଁ ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଆଇନ ପାସ କରିଥିଲେ। ଏହି ଆଇନ ମାଧ୍ୟମରେ ଲୋକସଭା ଓ ରାଜ୍ୟସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ହୋଇଥିଲା।

ପ୍ରସ୍ତାବଟି କ’ଣ?

ପ୍ରାୟ ତିନି ବର୍ଷ ପରେ, ସରକାର ଏହି ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଲୋକସଭାରେ ସାଂସଦଙ୍କ ସଂଖ୍ୟା ୮୧୬ ଏବଂ ମହିଳା ସାଂସଦଙ୍କ ସଂଖ୍ୟା ୨୭୩ ହେବ। ସୂଚନା ମିଳିଛି ଯେ, ୨୦୧୧ ଜନଗଣନାକୁ ଆସନ ବଣ୍ଟନ ପାଇଁ ଆଧାର ଭାବରେ ବ୍ୟବହାର କରାଯାଇପାରେ।

୨୦୧୧ ଜନଗଣନା ଆଧାରରେ ଆସନ ସୀମା ନିର୍ଦ୍ଧାରଣ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସମସ୍ତ ରାଜ୍ୟରେ ଲୋକସଭା ଏବଂ ବିଧାନସଭା ଆସନ ୫୦ ପ୍ରତିଶତ ବୃଦ୍ଧି କରାଯିବ। ଏହି ବୃଦ୍ଧି ଆନୁପାତିକ ହୋଇପାରେ । ଯେପରିକି ଉତ୍ତର ପ୍ରଦେଶରେ ୮୦ ବଦଳରେ ୧୨୦ ଲୋକସଭା ଆସନ, ବିହାରରେ ୪୦ ବଦଳରେ ୬୦ ଆସନ ଏବଂ ତାମିଲନାଡୁରେ ୩୯ ବଦଳରେ ୫୮ କିମ୍ବା ୫୯ ଆସନ ହୋଇପାରେ। ଆସନ ସଂଖ୍ୟା ବୃଦ୍ଧି କରି, ମହିଳାଙ୍କୁ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ।

Also Reader: ୟୁଜର୍ସଙ୍କୁ ମିଳୁ ମୋବାଇଲ୍ ଡାଟା ଟ୍ରାନ୍ସଫର ସୁବିଧା...AAP ସାଂସଦ ରାଘବ ଚଢାଙ୍କ ବଡ଼ ଦାବି

ମହିଳା ସଂରକ୍ଷଣ ଆଇନ କ’ଣ ?

୨୦୨୩ ମସିହାରେ ସରକାରଙ୍କ ଦ୍ୱାରା ଗୃହୀତ ନାରୀ ଶକ୍ତି ବନ୍ଦନ ଆଇନ ଅନୁଯାୟୀ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏହି ଆଇନରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ମହିଳାମାନଙ୍କ ପାଇଁ ପୃଥକ ସଂରକ୍ଷଣର ବ୍ୟବସ୍ଥା ନାହିଁ। ଏହାର ଅର୍ଥ ହେଉଛି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ ୩୩% ସଂରକ୍ଷଣ ମଧ୍ୟରେ ହିଁ ସଂରକ୍ଷଣ ଦିଆଯିବ।