ନୂଆଦିଲ୍ଲୀ: ସାତ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଶେଷରେ ଜାମିନ ପାଇଛନ୍ତି କକରୋଚ୍ ଜନତା ପାର୍ଟି(CJP)ର ସହ ସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସ। ବୁଧବାର ଚାଲିଥିବା ମାରାଥନ ଶୁଣାଣି ପରେ ଦିଲ୍ଲୀ ସ୍ଵତନ୍ତ୍ର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ(SEM) ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଏମିତି ସମୟରେ ମିଳିଛି ଯେତେବେଳେ ଉଭୟ ଦିଲ୍ଲୀ ହାଇକୋର୍ଟରେ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ।

ଆଜି ହୋଇଥିବା ଶୁଣାଣି ସମୟରେ ଦିଲ୍ଲୀର ସ୍ଵତନ୍ତ୍ର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ କୋର୍ଟ(SEM) ପ୍ରଥମେ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। କାରଣ ଦିଲ୍ଲୀ ପୋଲିସ ଦୁହିଁଙ୍କ ୩ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ଅବଧିକୁ ବଢାଇବାକୁ ଦାବି କରିଥିଲା। କିନ୍ତୁ ପରେ ମାଜିଷ୍ଟ୍ରେଟ କୋର୍ଟ ନିଷ୍ପତ୍ତି ଶୁଣାଇ ଦୁହିଁଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ସାତ ଦିନ ପରେ ସିଜେପିର ଏହି ଦୁଇ ନେତା ଜେଲରୁ ମୁକୁଳିବେ। ଏହା ପୂର୍ବରୁ ଦୁହିଁଙ୍କୁ ପାଞ୍ଚ ଦିନିଆ ବିଚାର ବିଭାଗୀୟ ହାଜତରେ ପଠା ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅବଧିକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଥିଲା।

Also Read: ୭% ଆର୍ଥିକ ଅଭିବୃଦ୍ଧି ହାର ରଖିବାକୁ ଘରୋଇ ନିବେଶ ବଢ଼ାଇବା ନିହାତି ଜରୁରୀ ଜରୁରୀ କେହିଲେ ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଡି. ସୁବ୍ବାରାଓ

ଅକ୍ଟୋବର ୧୪ରେ ହୋଇଥିଲେ ଗିରଫ

ସୌରଭ ଦାସ ଓ ଆଶୁତୋଷ ରାଙ୍କା ଅକ୍ଟୋବର ୧୪ରେ ଜନ୍ତର ମନ୍ତରର ନିଷିଦ୍ଧାଞ୍ଚଳକୁ ବଳପୂର୍ବକ ପ୍ରବେଶ କରି ଶାନ୍ତି ବଜାୟ ପାଇଁ କରିଥିବା ବଣ୍ଡର ଉଲ୍ଲଂଘନ କରିଥିଲେ। ସେଠାରେ ଦୁହିଁଙ୍କ ସହ ଆଉ କିଛି ସମର୍ଥକ ପଶି ତ୍ରିରଙ୍ଗା ଉଡ଼ାଇଥିଲେ। ପୋଲିସ ସୌରଭ ଓ ଆଶୁତୋଷଙ୍କୁ ଗିରଫ କରି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ପୁଣି SEM କୋର୍ଟ ଅବଧିକୁ ଦୁଇ ଦିନ ବଢାଇଥିଲେ, ଯାହାର ଅବଧି ଆଜି ଶେଷ ହେଉଥିଲା।

ହାଇକୋର୍ଟ ଯିବାର କଣ ଆବଶ୍ୟକତା ଥିଲା ?

ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧିକୁ ନେଇ ଆଶୁତୋଷ ଓ ସୌରଭ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ପୀଠ ସିଜେପିର ଯାଚିକା ଉପରେ ଶୁଣାଣି କରି ପ୍ରଶ୍ନ କରିଥିଲେ ଯେ, ଯେବେ ମାମଲା SEM କୋର୍ଟରେ ଆଜି ଶୁଣାଣି ପାଇଁ ନିର୍ଦ୍ଧାରିତ ଥିଲା, ତେବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବାର ଆବଶ୍ୟକତା କଣ ଥିଲା ? ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ SEM କୋର୍ଟର କାର୍ଯ୍ୟଧାରାକୁ ସମ୍ମାନ ଦେଇ ସେଠାରେ ଅପେକ୍ଷା କରିବା ଉଚିତ୍ ଥିଲା ବୋଲି ଅଦାଲତ ମତ ଦେଇଛନ୍ତି।

Also Read: 'ବଡ଼ ନିଷ୍ପତ୍ତି ନେଉଥିଲେ ଆଶୁତୋଷ ଏବଂ ସୌରଭ, ଦୀପାବଳି ଯାଏଁ ଆନ୍ଦୋଳନ ବନ୍ଦ'...ଏମିତି କାହିଁକି କହିଲେ ଅଭିଜିତ ?

ଜଷ୍ଟିସ ପ୍ରସାଦ କହିଛନ୍ତି, ଯଦି ଅପରାହ୍ଣ ୪ଟା ସୁଦ୍ଧା ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସେ ତେବେ ମାମଲା ସେଇଠି ହିଁ ସମାପ୍ତ ହୋଇଯିବ। ଯଦି ନିଷ୍ପତ୍ତି ଆପଣଙ୍କ ବିରୋଧରେ ଆସିଲା ତେବେ ଆପଣ ପୁନଃନିରୀକ୍ଷଣ ପାଇଁ ଅଦାଲତ କିମ୍ବା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥାନ୍ତେ। ତଥାପି ସିଜେପିର ଓକିଲ ବାରମ୍ବାର ହାଇକୋର୍ଟରେ ହିଁ ଶୁଣାଣି ଏବଂ ଜାମିନ ପାଇଁ ଅପିଲ୍ କରି ଚାଲିଥିଲେ।

କାହିଁକି ନିୟମ ଉଲ୍ଲଂଘନ କଲେ ?

ଜଜ କହିଛନ୍ତି, ଆପଣ ବେଲ୍ ବଣ୍ଡ ଦେଲେ ଏବଂ ପୁଣି ଜନ୍ତର ମନ୍ତର ଯାଇ ସେଠାରେ ନିୟମର ଉଲ୍ଲଂଘନ କଲେ। ଜନ୍ତର ମନ୍ତର ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହା ଉପରେ ରହିତାଦେଶ ବି ଲାଗିନି। ତଥାପି ଆପଣ ସେଠାକୁ ଯାଉଛନ୍ତି, ବ୍ୟାରିକେଟ୍ ଡେଉଛନ୍ତି। କାହିଁକି ଆପଣଙ୍କ ସେଠାକୁ ଯିବାର ପ୍ରୟୋଜନ ଥିଲା। ଯଦି ଆପଣ ଏମିତି ନିୟମ ଉଲ୍ଲଂଘନ କରିବେ ତେବେ ୧୦-୨୦ ଜଣ ଲୋକ ସେଠାକୁ ଯାଇ ଧାରା ୧୬୪ ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି।