ନୂଆଦିଲ୍ଲୀ: ଦିଲ୍ଲୀ ସ୍ପେଶାଲ ଏଗଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟ କକ୍ରୋଚ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ ଓ ଆଶୁତୋଷ ରାଂକାଙ୍କୁ ବୁଧବାର ଜାମିନ ମଞ୍ଜୁର କରିଛନ୍ତି। ଦୁଇ ଦିନର ବିଚାରବିଭାଗୀୟ ହାଜତରେ ରଖାଯିବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ବିରୋଧରେ ଧାରଣା ପ୍ରଦର୍ଶନ ନିମନ୍ତେ ଅଣ ଅଧିସୂଚିତ ସ୍ଥାନ ଜନ୍ତର ମନ୍ତରରେ ପାଲିସ ଦ୍ୱାରା ଲାଗୁ ଧାରା ୧୬୩ ଉଲ୍ଲଂଘନ ଓ ଜାତୀୟ ପତାକା ଉଡାଇ ଥିବାର ଅଭିଯୋଗ ଥିଲା। କୋର୍ଟରେ ରାଂକା ଓ ଦାସଙ୍କୁ ହାଜର କରି ଦିଲ୍ଲୀ ପୋଲିସ ଆଉ ୩ ଦିନ ବିଚାରବିଭାଗୀୟ ହାଜତ ମିଆଦ ଦାବି କରିଥିଲା। ତେବେ କୋର୍ଟ ପୋଲିସ ନିବେଦନକୁ ଅସ୍ୱୀକାର କରିଦେଇଛନ୍ତି।

ଦୁଇଜଣଙ୍କପକ୍ଷରୁ ଜାମିନ ପାଇଁ ଜାମିନଦାରମାନେ କୋର୍ଟରେ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିଥିଲେ। ତେବେ ଉଭୟ ଅଭିଯୁକ୍ତ ପୂର୍ବ ଜାମିନ ସର୍ତ୍ତ ଉଲ୍ଲଂଘନ କରିଥିବା ପୋଲିସ ଅଭିଯୋଗ କରିଥିଲା। ଏହା ପୂର୍ବରୁ ଆଶୁତୋଷ ରାଂକା ଓ ସୌରଭ ଦାସ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ସେମାନଙ୍କ ବିଚାରବିଭାଗୀୟ ହଜାତ ମାମଲାରେ ହସ୍ତକ୍ଷେପ କରିବେନି ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ହେଲେ କୋର୍ଟ ସ୍ପେଶାଲ ମାଜିଷ୍ଟ୍ରେଟ୍ ଙ୍କ ଇଜଲାସରେ ହେବାକୁ ଥିବା ଶୁଣାଣିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଯଦି ସେଠାରୁ ଅନୁକୂଳ ନିଷ୍ପତ୍ତି ନ ମିଳେ ତେବେ ସେମାନେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କହିଥିଲେ।

ଜନ୍ତର ମନ୍ତରର ଧାରଣାସ୍ଥଳ ମାନ୍ୟତା ଏବେ ପ୍ରତ୍ୟାହାର କରି ନିଆଯାଇଛି। ପୋଲିସ କୌଣସି ପ୍ରକାରର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅଞ୍ଚଳକୁ ଅଣ ଅଧିସୂଚିତ ଘୋଷଣା କରିଛି। ଏହାଛଡା ପୋଲିସ ଏଠାକୁ ଯେପରି ବିକ୍ଷୋଭକାରୀ ନ ପହଞ୍ଚନ୍ତି ଅଞ୍ଚଳରେ ଭାରତୀୟ ନ୍ୟାୟସଂହିତା (ବିଏନଏସ୍) ଧାରା ୧୬୩ ଜାରି କରିଛି। ତେବେ ଦିଲ୍ଲୀ ପୋଲିସର ଏହି ନିଷ୍ପତ୍ତିକୁ ଉଲ୍ଲଂଘନ କରି ଆଶୁତୋଷ ରାଂକା, ସୌରଭ ଦାସ ଓ ତାଙ୍କ ସାଥୀମାନେ ଜନ୍ତର ମନ୍ତରରେ ଜାତୀୟ ପତାକା ଉଡାଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।