ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରାବଧାନ ଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବତଲବ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମହିଳା ସଂରକ୍ଷଣ ଆଇନ ଲାଗୁ କରିବାର ଟାଇମଲାଇନ୍ କଣ ସରକାର ସ୍ପଷ୍ଟ କରନ୍ତୁ  । କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ସଂସଦ ଯେତେବେଳେ ଏହି ଆଇନକୁ ପାରିତ କରି ସାରିଛି ତେବେ ଏହାକୁ ଲାଗୁ କରିବାରେ କାହିଁକି ବିଳମ୍ୱ ହେଉଛି ।

କଂଗ୍ରେସ ନେତା ଜୟା ଠାକୁର ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । ଜୟା ଠାକୁର ନିଜ ଆବେଦନରେ ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଥିଲେ । ଆବେଦନରେ କୁହାଯାଇଥିଲା, ଆଇନରେ ‘ସୀମା ପୁନଃନିର୍ଦ୍ଧାରଣ ପରେ ଲାଗୁ କରିବା’ ସର୍ତ୍ତ ରଖାଯାଇଛି, ତାକୁ ହଟାଯାଉ ଓ ସଂରକ୍ଷଣକୁ ତତ୍କାଳ ପ୍ରଭାବରେ ଲାଗୁ କରାଯାଉଛି ।  

ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା କହିଥିଲେ, ଯେତେବେଳେ ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ପାରିତ ହୋଇ ସାରିଛି, ସେତେବେଳେ ଏହାକୁ ଲାଗୁ କରିବାରେ ବିଳମ୍ୱ କାହିଁକ ?  ଏହା ଦୁଃଖର ବିଷୟରେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମକୁ ସଂସଦରେ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ମାଗିବାକୁ ପଡ଼ୁଛି । ସେ ଆହୁରି କହିଥିଲେ ଯେ ଯେତେବେଳେ ଏସସି-ଏସଟି ପାଇଁ ସଂରକ୍ଷଣ ବିନା କୌଣସି ସୀମା ନିର୍ଦ୍ଧାରଣରେ ଲାଗୁ କରାଯାଇ ପାରୁଛି, ତେବେ ମହିଳାଙ୍କ ପାଇଁ କାହିଁକି ନୁହେଁ ?  ସେ ଏହା ବି କହିଥିଲେ ଯେ ସଂସଦରେ ଏହି ଆଇନ ସ୍ୱତନ୍ତ୍ର ଅଧିବେଶନରେ ପାରିତ ହୋଇଥିଲା, ଏହାର ଅର୍ଥ ହେଉଛି ଯେ ସରକାରଙ୍କ ପଖରେ ଜରୁରୀ ଡାଟା ପୂର୍ବରୁ ଉପଲବ୍ଧ ଥିଲା ।

ଜଷ୍ଟିସ ଜେ.ନାଗାରତ୍ନା କହିଛନ୍ତି ଯେ ମହିଳାମାନେ ଦେଶର ସବୁଠାରୁ ବଡ଼ ସଂଖ୍ୟାଲଘୁ । ନିର୍ଦ୍ଧାରଣ ପ୍ରକ୍ରିୟା କେବେ ଆରମ୍ଭ ହେବ ପଚାରି ସୁପ୍ରିମକୋର୍ଟ କହିଥିଲେ, ଆଇନ କାର୍ଯ୍ୟକାରୀ କରିବା ସରକାର ଏବଂ କାର୍ଯ୍ୟପାଳିକାର ଦାୟିତ୍ୱ ହୋଇଥିଲେ ବି କାର୍ଯ୍ୟାନ୍ୱୟନର ସମୟସୀମା କ’ଣ ତାହା କୋର୍ଟ ପଚାରିପାରିବେ । ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରି ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା କେବେ ଆରମ୍ଭ ହେବ ଏବଂ ମହିଳା ସଂରକ୍ଷଣ କେବେ କାର୍ଯ୍ୟକାରୀ ହେବ ତାହା ପ୍ରକାଶ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।