ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ ଆଉ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଘଟଣାର ଯୋଜନା ଓ ସମନ୍ୱୟରେ ସହାୟତା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଏହି ଗିରଫଦାରୀ ପରେ ଘଟଣା ପଛରେ ଥିବା ନେଟୱର୍କକୁ ନେଇ ତଦନ୍ତ ଆହୁରି ଜୋରଦାର ହୋଇଛି।

କିଛିଦିନ ତଳେ ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍କୁ ଜୋରଦାର ଗୁଳିମାଡ଼ ହୋଇଥିଲା | ତେବେ ଏହି ଘଟଣାରେ ୪ ଜଣ ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ, ସୁମିତ, ରାଧା ଓ ବବିତା। ଏମାନଙ୍କ ମଧ୍ୟରୁ କୁନାଲ ଓ ସୁମିତ ହରିୟାଣାର ସୋନିପତ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଧା ଓ ବବିତା ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନେ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଘଟଣା ପରେ ସେମାନଙ୍କୁ ସହଯୋଗ କରିବାରେ ଭୂମିକା ନେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ ରାଜସ୍ଥାନର କୋଟାରୁ ତିନି ଜଣ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ତଦନ୍ତକାରୀଙ୍କ କହିବା ଅନୁସାରେ, କୁନାଲ ଜଣେ ଅନିଲ ପଣ୍ଡିତଙ୍କ ସହ ଯୋଗାଯୋଗରେ ଥିଲେ। ଅନିଲଙ୍କ ନିର୍ଦ୍ଦେଶରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଏବଂ ତାହାକୁ ମୁମ୍ବାଇ ପହଞ୍ଚାଇବା ପାଇଁ ଯୋଜନା ହୋଇଥିବା ପୋଲିସ କହିଛି । ଏହି ପ୍ରକ୍ରିୟାରେ ରାଧା ଓ ବବିତାଙ୍କୁ ଷଡଯନ୍ତ୍ରରେ ବ୍ୟବହାର କରାଯାଇଛି। ଅଭିଯୁକ୍ତମାନେ ଏକ ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ଜରିଆରେ ପରସ୍ପର ସହ ଯୋଗାଯୋଗ ରଖିଥିବା ତଦନ୍ତରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍ଙ୍କ କାର୍କୁ ଲକ୍ଷ୍ୟ କରି ଅନବରତ ଗୁଳିମାଡ଼ ହୋଇଥିଲା। ସେହି ସମୟରେ ଅଭିନେତା ଜଣକ ଏକ ଫୁଟବଲ୍ କ୍ଲବ୍ରୁ ଫେରୁଥିବା ସୂଚନା ମିଳିଛି। ଏହି ଘଟଣାରେ ଟାଇଗର ଶ୍ରଫ୍ ସୁରକ୍ଷିତ ରହିଥିବାବେଳେ ତାଙ୍କ ଡ୍ରାଇଭର ଓ ଜଣେ ପଥଚାରୀ ଆହତ ହୋଇଥିଲେ।

ଘଟଣା ପରେ ଆକ୍ରମଣକାରୀମାନେ ମୁମ୍ବାଇରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ରାଜସ୍ଥାନର କୋଟାରୁ ଧରିଥିଲା। ଏବେ ନୂଆକରି ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍ (CID) ହାଜତକୁ ନେଇ ପଚରାଉଚରା କରିବା ପାଇଁ ଅଦାଲତ ତିନି ଦିନର ଟ୍ରାଞ୍ଜିଟ୍ ରିମାଣ୍ଡ୍ ମଞ୍ଜୁର କରିଛନ୍ତି। ତେବେ ଏହି ଘଟଣା ପଛରେ କାହାର ହାତ ରହିଛି, ଅଭିଯୁକ୍ତମାନଙ୍କ ମଧ୍ୟରେ କିପରି ଯୋଗାଯୋଗ ହେଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ଏହି ମାମଲାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ।