ନୂଆଦିଲ୍ଲୀ: ସେଙ୍ଗୋଲର ନିର୍ମାତା ଭୁମ୍ମିଡି ଏଥିରାଜଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ପ୍ରଦାନ କରାଯାଇଥିବା ସେଙ୍ଗୋଲ୍ ଡିଜାଇନ୍ କରିଥିଲେ ଏହି ମହାନ କାରିଗର । ଏଥିରାଜଙ୍କ ବିୟୋଗରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ପାରମ୍ପରିକ ଅଳଙ୍କାର କାରିଗରୀ କ୍ଷେତ୍ରରେ ଏଥିରାଜଙ୍କ ଭୂମିକା ଅତୁଳନୀୟ ଥିଲା।

ନଭେମ୍ବର ୧୫, ୧୯୨୬ରେ ଜନ୍ମଗ୍ରହଣ  କରିଥିଲେ ଭୁମ୍ମିଡି ଏଥିରାଜ । ସେ ଥିଲେ ‘ଭୁମ୍ମିଡି ବଙ୍ଗାରୁ ଜୁଏଲର୍ସ’ପରିବାରର ମୁଖ୍ୟ। କଳାରେ ନିପୁଣତା ଏବଂ ପାରମ୍ପରିକ ଜ୍ଞାନ ମାଧ୍ୟମରେ ସେ ଭାରତୀୟ ସ୍ୱର୍ଣ୍ଣ ଶିଳ୍ପକୁ ଏକ ନୂତନ ପରିଚୟ ଦେଇଥିଲେ । ଅକ୍ଟୋବର ୨୧ ତାରିଖରେ ତାଙ୍କର ପରଲୋକ ହୋଇଛି । ତାଙ୍କର ବିୟୋଗ କଳା ଏବଂ ସାଂସ୍କୃତିକ ଜଗତ ପାଇଁ ଏକ ବଡ଼ କ୍ଷତି।

ମୋଦୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏଥିରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ତାମିଲନାଡୁର ପାରମ୍ପରିକ ପରିବାରରୁ ଆସିଥିବା ଏଥିରାଜ ଦେଶର ଇତିହାସରେ ସର୍ବଦା ଅମର ରହିବେ।  କାରଣ ସେହି ଐତିହାସିକ 'ସେଙ୍ଗୋଲ୍'କୁ ସେ ହିଁ ଡିଜାଇନ୍ କରିଥିଲେ । ଏହାକୁ ୧୯୪୭ ମସିହାରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ଅର୍ପଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ୨୦୨୩ରେ ନୂତନ ସଂସଦ ଭବନରେ ସେଙ୍ଗୋଲକୁ ଉପଯୁକ୍ତ ସମ୍ମାନ ଦେବାର ସୌଭାଗ୍ୟ ସରକାରଙ୍କୁ ମିଳିଥିଲା। ସେହି ଅବସରରେ ପ୍ରଧାନମନ୍ତ୍ରୀ ନିଜେ ଏଥିରାଜଙ୍କୁ ଭେଟି ଦେଶ ଓ ସଂସ୍କୃତି ପ୍ରତି ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ତାଙ୍କର ଜୀବନ ଏବଂ କଳାତ୍ମକ କାରିଗରୀ ଭାରତର ସମୃଦ୍ଧ ଐତିହ୍ୟ ଓ ବିକାଶର ଯାତ୍ରାକୁ ପ୍ରତିଫଳିତ କରେ ।

ସେଙ୍ଗୋଲ୍ କ'ଣ ?
ସେଙ୍ଗୋଲ ହେଉଛି ପ୍ରାଚୀନ ତାମିଲ ସଂସ୍କୃତି ସହିତ ଜଡ଼ିତ ପ୍ରାୟ ପାଞ୍ଚଫୁଟ୍ ଲମ୍ବା ସୁନାର ଲେପ ଥିବା ରୌପ୍ୟ ରାଜଦଣ୍ଡ । ତାମିଲ ଶବ୍ଦ 'ସେମ୍ମାଇ' ରୁ ଏହାର ଉତ୍ପତ୍ତି । ଏହାର ଅର୍ଥ ହେଉଛି, ଧର୍ମପରାୟଣତା, ସଠିକ୍ କର୍ତ୍ତବ୍ୟ ଏବଂ ନିରପେକ୍ଷ ଶାସନ। ଚୋଳ ବଂଶର ପରମ୍ପରା ଅନୁଯାୟୀ ଏହା ଶାସକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟର ସ୍ମରଣ କରାଇଥାଏ । ବ୍ରିଟିଶ ଶାସନରୁ ଭାରତକୁ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବରେ ସି. ରାଜଗୋପାଳଚାରୀଙ୍କ ପରାମର୍ଶ କ୍ରମେ ଅଗଷ୍ଟ ୧୯୪୭ ରେ ଏହି ରାଜଦଣ୍ଡ ନେହରୁଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ମେ ୨୦୨୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନୂତନ ସଂସଦ ଭବନରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପନ କରିଥିଲେ । କିନ୍ତୁ ଐତିହାସିକ ସେଙ୍ଗୋଲର ନିର୍ମାତା ଭୁମ୍ମିଡି ଏଥିରାଜଙ୍କ ପରଲୋକ ଘଟିଛି ।