ମୁମ୍ବାଇ: ମୁମ୍ବାଇର ଜୁହୁରେ ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରେ ଗୁଳିମାଡ଼ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୩ ଆକ୍ରମଣକାରୀ ଗିରଫ ହେବା ପରେ, ସେମାନେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି । ପ୍ରଥମେ ସେମାନେ ସ୍ବୀକାର କରିଥିଲେ, ଟାଇଗର ଟାର୍ଗେଟରେ ନଥିଲେ । ସେମାନେ ସଲମାନ ଖାନଙ୍କୁ ଗୁଳି କରିବାକୁ ଯୋଜନା କରିଥିଲେ । କିନ୍ତ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ଭେଦିନପାରି, ସହଜ ଟାର୍ଗେଟ ଭାବରେ ଟାଇଗରଙ୍କ ଉପରେ ଆକ୍ରମଣ କରିଥିଲେ କିଲର । ଟାଇଗରଙ୍କ ସୁରକ୍ଷା ବ୍ୟବସ୍ଥା ନଥିବାରୁ ତାଙ୍କ ଉପରେ ଆକ୍ରମଣ କରିବା ସହଜ ହୋଇଥିଲା ବୋଲି ମାନିଛନ୍ତି ୩ ଅଭିଯୁକ୍ତ ।

ଅକ୍ଟୋବର ୧୮ରେ ଟାଇଗରଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ, ସେ ଯାଉଥିବା ଫୁଟବଲ୍‌ ଗ୍ରାଉଣ୍ଡକୁ ଯାଇଥିଲେ ସେମାନେ । ଅକ୍ଟୋବର ୧୧ରେ ସେମାନେ ତାଙ୍କ ଉପରେ ଆକ୍ରମଣ କରିବେ ବୋଲି ସ୍ଥିର କରିଥିଲେ । କିନ୍ତୁ ଅଭିନେତା ସେଦିନ ଫୁଟବଲ୍‌ ଗ୍ରାଉଣ୍ଡ ଯାଇନଥିଲେ । ସେପଟେ ସଲମାନ ଖାନ ପ୍ରକୃତ ଟାର୍ଗେଟ ଥିବା ବେଳେ, ସେମାନଙ୍କ ହିଟ୍‌ ଲିଷ୍ଟରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଏବଂ ଆମିର ଖାନ ଥିବା କଥା କହିଛନ୍ତି ଅଭିଯୁକ୍ତ। ଏପରିକି ସେମାନେ ବିଗ୍‌ ବି’ଙ୍କ ଘର ପାଖକୁ ଯାଇଥିଲେ ବୋଲି ମାନିଛନ୍ତି ।

କୋଟାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବୁଧବାର ସେମାନଙ୍କୁ ମୁମ୍ବାଇ ଆଣିଛି ପୋଲିସ । ୧୬ ଘଣ୍ଟାର ଯାତ୍ରାରେ ପୋଲିସ ସେମାନଙ୍କୁ ପଚରା ଉଚରା କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇପାରେ ଏବଂ ମୁମ୍ବାଇ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେବାକୁ ଦାବି କରିବ । ଅଭିଯୁକ୍ତଙ୍କ ପାଖରୁ ଆକ୍ରମଣର ମାଷ୍ଟରମାଇଣ୍ଡ ଅନିଲ ପଣ୍ଡିତ ସଂପର୍କରେ ଜାଣିବାକୁ ଚେଷ୍ଟା କରିବ ପୋଲିସ । ଅନିଲ ପଣ୍ଡିତ, ଯିଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଏବଂ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ବୋଲି କହିଥିଲା । 

Also Read: ଟାଇଗରଙ୍କୁ ଗୁଳିମାଡ଼ ପଛରେ ୨ ମହିଳାଙ୍କ ହାତ , ମାରିବାକୁ ଯୋଗାଇଥିଲେ ବନ୍ଧୁକ

ସେପଟେ ସଲମାନଙ୍କ ସହ ବିଷ୍ଣୋଇ ଗ୍ୟାଙ୍କର ଶତ୍ରୁତାକୁ ନେଇ ବଲିଉଡ୍‌ ଅଶାନ୍ତ ହୋଇପଡ଼ିଛି।  ଏହାକୁ ନେଇ ବିଶିଷ୍ଟ ଗାୟକ ଅନୁପ ଜଲୋଟା ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ସଲମାନ ଖାନ ବିଷ୍ଣୋଇ ସଂପ୍ରଦାୟଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ । ଏଭଳି ଆକ୍ରମଣକୁ ରୋକିବା ଲାଗି ଏହା ଏକମାତ୍ର ବାଟ । ବିଷ୍ଣୋଇ ସଂପ୍ରଦାୟଙ୍କୁ ସଲମାନ କ୍ଷମା ମାଗିବା ପରେ, ଏହି ସବୁ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରିବ । ଯେଉଁମାନେ ସଲମାନଙ୍କ ସହ କାମ କରୁଛନ୍ତି, ସେମାନଙ୍କ ପରିବାର ବିପଦକୁ ଠେଲି ହୋଇଯାଉଛି ବୋଲି କହିଛନ୍ତି ଅନୁପ ଜଲୋଟା ।