ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଡ଼ାବୁଗୁଡ଼ା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ବାର୍ଲିପଡ଼ା ଗ୍ରାମର ଧନେଶ୍ୱର ମାଣ୍ଡି। ସେ କୋରାପୁଟ ବିଧାୟକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଡାବୁଗୁଡ଼ା ନିକଟସ୍ଥ ରାସ୍ତାରେ ଦୁଇଟି ବାଇକ୍ ଦ୍ରୁତଗତିରେ ଆସି ମୁହାଁମୁହିଁ ପିଟି ହୋଇଯାଇଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବାର୍ଲିପଡ଼ାର ଧନେଶ୍ୱର ମାଣ୍ଡିଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଲମତାପୁଟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଆହତମାନଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

Also Read: ନୟାଗଡ଼ରେ ଚାଞ୍ଚଲ୍ୟ: ୫୦୦ ଟଙ୍କା ବିଲ୍‌କୁ ନେଇ ହତ୍ୟାକାଣ୍ଡ, ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ

ଏହି ଦୁର୍ଘଟଣାରେ ଡାବୁଗୁଡ଼ା ଗ୍ରାମର ମଙ୍ଗୁ ମାଲିକ ଏବଂ ତାଙ୍କ ପୁତୁରା ସମରା ମାଲିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ, ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦୁଇଟିକୁ ଜବତ କରିଛି।