ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ ଆଇଟମ୍‌  ଡ୍ୟାନ୍ସର ମଲାଇକା ଅରୋରାଙ୍କ ଲଭ୍‌ ଲାଇଫ ସବୁବେଳେ ଚର୍ଚ୍ଚାରେ । ତାଙ୍କର ନୂଆ ସଂପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ବ୍ୟବସାୟୀ ହର୍ଷ ମେହେଟ୍ଟାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିବା ନେଇ ଖବର ମଧ୍ୟରେ ତାଙ୍କୁ ଆଉ ଜଣେ ଯୋଗ ଏଣ୍ଟରପ୍ରିନିୟର ସର୍ବେଶ ଶଶୀଙ୍କ ସହ ଦେଖିବାକୁ ମିଳିଛି । ସର୍ବେଶ ଶଶୀ ବୋଧହୁଏ ମଲାଇକା ଅରୋରାଙ୍କ ନୂଆ ପ୍ରେମିକ । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ସେମାନେ ଡେଟିଂ କରୁଥିବା କୁହାଯାଉଛି । ତେବେ ସର୍ବେଶ ଶଶୀ କିଏ ?

ସର୍ବେଶ ଶଶୀ ହେଉଛନ୍ତି ଜଣେ ଜଣାଶୁଣା ଯୋଗ ଉଦ୍ୟୋଗୀ । ୱେଲନେସ୍ ପ୍ଲାଟଫର୍ମ 'SARVA' ର ପ୍ରତିଷ୍ଠାତା । ସେ ୨୦୧୩ରେ ‘Zorba’ ନାମକ ଏକ ଯୋଗ ଷ୍ଟୁଡିଓ ଆରମ୍ଭ କରିଥିଲେ । ଏହାକୁ ୨୦୧୮ରେ ସର୍ବା ବୋଲି ପୁଣି ନାମକରଣ କରିଥିଲେ । ସେହି ବର୍ଷ ମଲାଇକା ଅରୋରାଙ୍କ ସହ ମିଶି ମହିଳାମାନଙ୍କ ପାଇଁ ଯୋଗ ଏବଂ ୱେଲନେସ୍ ପ୍ଲାଟଫର୍ମ ‘'ଡିଭା ଯୋଗ’ ମଧ୍ୟ ପ୍ରତିଷ୍ଠା କରିଥିଲେ। ୱେଲନେସ୍ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସର୍ବେଶ ଫୋର୍ବସ ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲେ ।  ୨୦୨୪ରେ ସେ ‘How To Fall In Love with Yoga’ ନାମକ ଏକ ପୁସ୍ତକ ଲେଖିଥିଲେ।   

ଫଟୋ ଭାଇରାଲ୍‌
ମଲାଇକା ଏବଂ ସର୍ବେଶ ମିଶି ବ୍ୟବସାୟ କରିଛନ୍ତି । ନିକଟରେ ଆବୁଧାବିର ପ୍ରସିଦ୍ଧ ‘ଶେଖ ଜାଏଦ ଗ୍ରାଣ୍ଡ ମସଜିଦ’ରେ ମଲାଇକାଙ୍କ ସହ ସର୍ବେଶଙ୍କ ଏକ ଫଟୋ ଭାଇରାଲ୍‌ ହୋଇଥିଲା । ଦୁହେଁ ଏହି ଫଟୋ ସେୟାର କରିଥିଲେ ଏବଂ ସେମାନଙ୍କ କ୍ୟାପସନ୍ କଳ୍ପନାଜଳ୍ପନାକୁ ଆହୁରି ବଢ଼ାଇ ଦେଇଛି । ତେବେ ଏହି ଚର୍ଚ୍ଚାର ସତ୍ୟତା କେତେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।   

ମଲାଇକାଙ୍କ ବ୍ୟକ୍ତିଗତ ଜୀବନ
ଅଭିନେତା ଅର୍ଜୁନ କପୁରଙ୍କଠାରୁ ଅଲଗା ହେବା ପରେ ମଲାଇକାଙ୍କ ନୂଆ ପାର୍ଟନର କିଏ, ତାକୁ ନେଇ ଚର୍ଚ୍ଚା ହୋଇଆସିଛି । ପୂର୍ବରୁ ତାଙ୍କର ହୀରା ବ୍ୟବସାୟୀ ହର୍ଷ ମେହେଟ୍ଟାଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା। ଏହାପୂର୍ବରୁ ମଲାଇକା ୧୯୯୮ରେ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ବିବାହ କରିଥିଲେ। କିନ୍ତୁ ପ୍ରାୟ ୧୯ ବର୍ଷର ସମ୍ପର୍କ ପରେ ୨୦୧୭ରେ ସେମାନେ ଅଲଗା ହୋଇଯାଇଥିଲେ । ତଥାପି ସେମାନଙ୍କର ପୁଅ ଆରହାନ ଖାନଙ୍କ ଯତ୍ନ ଉଭୟ ଅରବାଜ୍‌ ଏବଂ ମଲାଇକା ମିଳିତ ଭାବରେ ନେଇଥାନ୍ତି। ବାରମ୍ବାର ପ୍ରେମିକ ବଦଳାଇ ଖୁବ ସମାଲୋଚନାର ଶିକାର ହେଉଥିଲେ ବି, ମଲାଇକା ନିଜ ବ୍ୟକ୍ତିଗତ ଜୀବନରେ ମସଗୁଲ ଅଛନ୍ତି ।