ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡ଼ିକୁ ପୁଣି ଆଇନା ଦେଖାଇଛନ୍ତି ଆପ୍ ସାଂସଦ ରାଘବ ଚଢ଼ା । ଏବେ ସେ ସଂସଦରେ ଡାଟା ଟ୍ରାନ୍ସଫର ଏବଂ ଡାଟା ରୋଲଓଭର ଭଳି ପ୍ରସଙ୍ଗ ଉଠାଇଛନ୍ତି । ବଳକା ରହୁଥିବା ଡାଟା, ପରଦିନକୁ ଟ୍ରାନ୍ସଫର ହେଉ ବୋଲି ସେ କହିଛନ୍ତି । ଏହା ସହ ଉପଭୋକ୍ତାଙ୍କ ମଧ୍ୟରେ ଡାଟା ଟ୍ରାନ୍ସଫର ଲାଗି ସୁବିଧା ଉପଲବ୍ଧ ହେବା ଦରକାର ବୋଲି କହିଛନ୍ତି ଆପ୍ ସାଂସଦ ।

ରାଘବ ଚଢ଼ା କହିଛନ୍ତି, ୟୁଜର୍ସଙ୍କୁ ଦୈନିକ 1.5 କିମ୍ବା 2 GB ଡାଟା ମିଳିଥାଏ। ହେଳେ ରାତି ୧୨ ପରେ ଅବଶିଷ୍ଟ ଡାଟା ଶେଷ ହୋଇଯାଏ। ଏହି ଡାଟାକୁ ଉପଭୋକ୍ତା ପରଦିନ ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ବ୍ୟବହାର ହେଉନଥିବା ଡାଟା ପାଇଁ ମଧ୍ୟ ଉପଭୋକ୍ତା ଟଙ୍କା ଦିଅନ୍ତି । କମ୍ପାନୀଗୁଡ଼ିକ ବାକି ଥିବା ଡାଟା ନିଜେ ସଂରକ୍ଷଣ କରନିଅନ୍ତି।

ପେଟ୍ରୋଲର ଉଦାହରଣ ଦେଲେ ରାଘବ

ରାଘବ ଏକ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଗାଡ଼ି ପାଇଁ ୫ ଲିଟର ପେଟ୍ରୋଲ୍ କ୍ରୟ କରନ୍ତି, ସେ ପେଟ୍ରୋଲ୍ ଶେଷ ହେବା ଯାଏଁ ବ୍ୟବହାର କରନ୍ତି । କୌଣସି ପେଟ୍ରୋଲ୍ ପମ୍ପ ମାଲିକ ପେଟ୍ରୋଲ୍ ଫେରସ୍ତ ମାଗନ୍ତି ନାହିଁ । ଯେଉଁଭଳି ସବୁ ପେଟ୍ରୋଲ ବ୍ୟବହାର କରିବାକୁ ଅଧିକାର ରହିଛି, ସେହିଭଳି ସବୁ ଡାଟା ବ୍ୟବହାର କରିବାକୁ ଉପଭୋକ୍ତା ସକ୍ଷମ ହେବା ଜରୁରୀ । ତେଣୁ, ଡାଟା ରୋଲଓଭରକୁ ମଧ୍ୟ ଅନୁମତି ଦିଆଯିବା ଉଚିତ।

Also Read: ଆପ୍ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କ ଆତ୍ମହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଗିରଫ

ଏହି ସବୁ ଦେଶରେ ଅଛି ଏଭଳି ସୁବିଧା

ସେ କହିଛନ୍ତି ଯେ, ଗୋଟିଏ ଦିନରେ ବ୍ୟବହୃତ ହୋଇନଥିବା ଡାଟାକୁ ପରବର୍ତ୍ତୀ ଦିନର ଡାଟା ସୀମାରେ ଯୋଡାଯିବା ଉଚିତ । ଆମେରିକା, ୟୁରୋପ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ଦେଶରେ ଡାଟା ରୋଲଓଭର ସୁବିଧା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଭଳି ଫୋନ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିବାର ସୁବିଧା ରହିଛି, ସେହିଭଳି ଡାଟା ସ୍ଥାନାନ୍ତର ଲାଗି ଅନୁମତି ମିଳିବା ଜରୁରୀ।