ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘର ମିଳିଲା ଠିକଣା । ଛତିଶଗଡ଼ରୁ ଆସିଥିବା ଟ୍ରାପ କ୍ୟାମେରାରେ ସ୍ପଷ୍ଟ ହେଲା ଚିତ୍ର । ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ନୂଆ ଅଣ୍ଡିରା ମହାବଳ ବାଘର ମୂଳ ଉତ୍ସ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋରୁ ଏହି ବାଘଟି ପୂର୍ବରୁ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରହିଥିଲା। ବନ ବିଭାଗର ସୂଚନା ଅନୁଯାୟୀ, ଗତ ନଭେମ୍ବର ୯ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘଟି ପ୍ରବେଶ କରିଥିଲା। ଛତିଶଗଡ଼ରୁ ମିଳିଥିବା ଫଟୋ ଓ ଦେବ୍ରିଗଡ଼ରେ କଏଦ ହୋଇଥିବା ବାଘର ଶରୀରର ଦାଗ ବିଶ୍ଳେଷଣ କରିବା ପରେ ଏହା ଗୋଟିଏ ବାଘ ବୋଲି ସ୍ପଷ୍ଟ ହୋଇଛି। ୨୦୨୫ ମସିହାରେ ପ୍ରାୟ ୬ ମାସ ଧରି ଏହି ବାଘଟି ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବିଚରଣ କରୁଥିବା ରେକର୍ଡ କରାଯାଇଥିଲା। ବର୍ତ୍ତମାନ କ୍ୟାମେରା ଟ୍ରାପ୍ ତଥ୍ୟର ଅଧିକ ବିଶ୍ଳେଷଣ ଜାରି ରହିଛି। ଅନ୍ୟପକ୍ଷରେ, ଏହି ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥାଇପାରେ ବୋଲି ବନ ଅଧିକାରୀମାନେ ଅନୁମାନ କରୁଛନ୍ତି। ତେବେ ପୂର୍ବରୁ ବାଘଟି କେଉଁ ରାସ୍ତା ଦେଇ ଆସିଥିଲା, ତାହା ସ୍ପଷ୍ଟ କରିବା ପାଇଁ କୌଣସି କ୍ୟାମେରା ଟ୍ରାପ୍ ପ୍ରମାଣ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ବାଘଟିର ଗତିବିଧି ଓ ପୂର୍ବ ଇତିହାସ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବାକୁ ଡେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) କୁ ଅନୁରୋଧ କରିଛନ୍ତି।