ଖୋର୍ଧା, ୧୫।୧୧ : ୧୬ନଂ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବ ଆନ୍ଧ୍ର ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା ମକା ବୋଝେଇ ଏକ ପିକଅପ୍ ଭ୍ୟାନ୍ ପଛପଟୁ ଜୋରଦାର ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍ ଚାଳକଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ପିକଅପ୍ ଭ୍ୟାନଟି ଚୁରମାର ହୋଇଯାଇଛି । ଗାଡ଼ିର ସମ୍ମୁଖ ଭାଗଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମକା ବୋଝେଇ ପିକଅପ୍ ଭ୍ୟାନଟି ବ୍ରହ୍ମପୁର ଆଡୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ କେତକୀଝର ଗେଟ୍ ନିକଟରେ ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଆନ୍ଧ୍ର ଟ୍ରକକୁ ପିକଅପଟି ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା।

Also Read :-ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍ ଗେଟ୍ : ଲୋକଙ୍କୁ କରାଗଲା ସତର୍କ

ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍ ଗାଡ଼ିର ଚାଳକ ଭିତରେ ଚାପି ହୋଇ ରହିଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ପିକଅପ୍ ଗାଡ଼ି ମଧ୍ୟରୁ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଓ ମୃତକଙ୍କ ପରିଚୟ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।