ମୁମ୍ବାଇ : ଗୁଳିମାଡ ଘଟଣା ପରେ ଏବେ ପୁଣି କାମକୁ ଫେରିଛନ୍ତି ହିରୋପନ୍ତି ଷ୍ଟାର 'ଟାଇଗର ଶ୍ରଫ୍' । ନିକଟରେ ସେ ପୁନେ ଠାରେ ନିଜ ଅପକମିଙ୍ଗ ଫିଲ୍ମ ସୁଟିଂ ଶେଷ କରିଛନ୍ତି । ସୂଚାନୁଯାୟୀ, ଗତ ମାସ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଜିମରୁ ଫେରୁଥିବାବେଳେ ଜୁହୁ ନିକଟରେ ତାଙ୍କ କାର ଉପରକୁ କିଛି ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ । ଅକ୍ଟୋବର ୨୦ରେ ସେ ଫିଲ୍ମର ସୁଟିଂ ପାଇଁ ସେଟକୁ ଫେରିଥିଲେ। ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଏବେ ନିଜ ଅପକମିଙ୍ଗ ଫିଲ୍ମ ‘ଲଗ୍ ଜା ଗଲେ’ର ସୁଟିଂ ଶେଷ କରିଛନ୍ତି। ପୁଣେରେ ଫିଲ୍ମର ସୁଟିଂ ଶେଷ ହୋଇସାରିଛି । ତେବେ ଏତେବଡ଼ ଆକ୍ରମଣ ହେବା ପରେ ମଧ୍ୟ କାମ ପ୍ରତି ତାଙ୍କ ନିଷ୍ଠା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ, ଏହି ଫିଲ୍ମରେ ଟାଇଗରଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଓ ଲକ୍ଷ ଲାଲୱାନୀ। ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ରାଜ ମେହଟ୍ଟା । ଏହା ପୂର୍ବରୁ ‘ଗୁଡ୍ ନ୍ୟୁଜ୍’, ‘ଜୁଗ୍ଜୁଗ୍ ଜିଓ’ ଓ ‘ସେଲ୍ଫି’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ ମେହଟ୍ଟା । ଟାଇଗରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଲଗ୍ ଜା ଗଲେ’ର ନିର୍ମାତା ସୁଟିଂ ସ୍ଥାନକୁ ଗୋପନ ରଖିଥିଲେ। ଟିମ୍ର କିଛି ବିଶ୍ୱସ୍ତ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାକୁ ଏ ସମ୍ପର୍କରେ ସୂଚନା ଦିଆଯାଇନଥିଲା। ଏହା ପଛର କାରଣ ଥିଲା ଟାଇଗରଙ୍କ ଗୋପନୀୟତା ସୁରକ୍ଷା ଦେବା । ଟାଇଗର ନିଜେ କାମ କାମକୁ ଫେରିବାକୁ ଚାହୁଁଥିଲେ। ଗୁଳିକାଣ୍ଡ ଘଟଣା ଯୋଗୁ ଫିଲ୍ମର ସୁଟିଂ ଉପରେ କୌଣସି ପ୍ରଭାବ ନ ପଡୁ ବୋଲି ସେ ଏହା ହିଁ ଚାହୁଁଥିଲେ।

ତେବେ ଆସନ୍ତା ବର୍ଷ ମେ' ମାସରେ ସିନେମା ହଲରେ ରିଲିଜ ହେବ ଫିଲ୍ମ ‘ଲଗ୍ ଜା ଗଲେ’ । ଶେଷ ଥର ପାଇଁ ଟାଇଗର ଶ୍ରଫ୍ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବାଗୀ-୪’ରେ ନଜର ଆସିଥିଲେ। ଏହାବାଦ ଲମ୍ବା ସମୟ ପାଇଁ ସେ ସୁଟରୁ ଦୁରେଇ ରହିଥିଲେ । ତେବେ ବର୍ତ୍ତମାନ ଏକ ନୂଆ ଆକ୍ସନ ରୋମାଣ୍ଟିକ ଫିଲ୍ମ ସହ ଫେରୁଛନ୍ତି ଟାଇଗର । ‘ଲଗ୍ ଜା ଗଲେ’ରେ ତାଙ୍କ ନୂଆ ଅବତାର ଓ ଧମାକାଦାର ଆକ୍ସନ ସିନ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ତେବେ ଫିଲ୍ମଟି ରିଲିଜ ହେବାକୁ ପରେ ଜଣାପଡ଼ିବ ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସିବ ।