ମୁମ୍ବାଇ : ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କପୁରଙ୍କ ଫିଲ୍ମ ‘ରାମାୟଣ’। ରିଲିଜ୍ ହେବାର ମାତ୍ର ୯ ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କାର କ୍ଲବରେ ସାମିଲ ହୋଇଛି ଏହି ମେଗା ବଜେଟ୍ ଫିଲ୍ମ। ଏହା ସହ ଭାରତୀୟ ସିନେମା ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ଏହି ରେକର୍ଡ ଦୌଡ଼ରେ ପୁଷ୍ପା-୨ ଓ ଧୁରନ୍ଧର-୨ ମଧ୍ୟ ରହିଛି । ତେବେ ୧୦୦୦ କୋଟି ଛୁଇଁବାକୁ କେଉଁ ଫିଲ୍ମକୁ ଲାଗିଥିଲା କେତେ ଦିନ? କିଏ ରହିଛି ନମ୍ବର ୱାନରେ ଆସନ୍ତୁ ଜାଣିବା ।

ଭାରତୀୟ ସିନେମା ଜଗତରେ ଏବେ ଚର୍ଚ୍ଚାରେ ରହିଛି ‘ରାମାୟଣ ପାର୍ଟ-୧ ’। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ଭଗବାନ ରାମଙ୍କ ଭୂମିକାରେ ଥିବାବେଳେ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିଛନ୍ତି । ଗତ ନଭେମ୍ବର ୫ ତାରିଖରେ ସିନେମା ହଲ୍କୁ ଆସିଥିବା ଏହି ଫିଲ୍ମ ମାତ୍ର ୯ ଦିନରେ ବିଶ୍ୱବ୍ୟାପୀ ୧୦୦୦ କୋଟିରୁ ଅଧିକ ଆୟ କରିଛି । ନଭେମ୍ବର ୧୨ ସୁଦ୍ଧା ଏହାର ମୋଟ ୱାର୍ଲଡ୍ୱାଇଡ୍ କଲେକ୍ସନ ୧୦୩୩.୫୫ କୋଟି ଟଙ୍କାରେ ପହଞ୍ଚିଛି। ଏଥିରୁ ଭାରତରେ ଗ୍ରସ୍ କଲେକ୍ସନ ୬୭୫.୦୫ କୋଟି ଟଙ୍କା ରହିଥିବାବେଳେ ବିଦେଶରୁ ଆସିଛି ୩୫୮.୫୦ କୋଟି ଟଙ୍କା। କିନ୍ତୁ ଏହି ରେକର୍ଡ କରିବା ସହଜ ନଥିଲା। କାରଣ ଏହା ପୂର୍ବରୁ ଅନେକ ବ୍ଲକବଷ୍ଟର ଫିଲ୍ମ ୧୦୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ବକ୍ସ ଅଫିସରେ ଲମ୍ବା ଦୌଡ଼ ଲଗାଇଥିଲେ। ସେଥିମଧ୍ୟରୁ ଲାଇନରେ ପୁଷ୍ପା-2, ବାହୁବଳୀ-୨, ଧୁରନ୍ଧର-୨ , KGF 2, RRR ଭଳି ସୁପରହିଟ ଫିଲ୍ମ ରହିଛି । ତେବେ ଏହିସବୁ ଫିଲ୍ମ କେତେ ଦିନରେ ଛୁଇଁଥିଲା ୧୦୦୦ କୋଟି ତାକୁ ନେଇ ଏବେ ଚାଲିଛି ତୁଳନା ।

ଯଦି ରେକର୍ଡ ଦେଖିବା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ମାତ୍ର ୭ ଦିନରେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାର ମାଇଲଷ୍ଟୋନ୍ ଅତିକ୍ରମ କରିଥିଲା । ୨୦୨୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଲାଇଫ୍ଟାଇମ୍ ୱାର୍ଲଡ୍ୱାଇଡ୍ କଲେକ୍ସନ ପ୍ରାୟ ୧୭୪୨ କୋଟି ଟଙ୍କା ରହିଥିଲା। ସେଭଳି ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ 'ଧୁରନ୍ଧର-୨' ମଧ୍ୟ ୧୦୦୦ କୋଟି କ୍ଲବରେ ପହଞ୍ଚିବାକୁ ମାତ୍ର ୭ ଦିନ ସମୟ ନେଇଥିଲା। ରଣବୀର ସିଂହଙ୍କ ଅଭିନୀତ ଏହି ଫିଲ୍ମ ସହ ପୁଷ୍ପା-୨ର ରେକର୍ଡ ସହ ସମକକ୍ଷ ହୋଇଥିଲା। ଏହାର ଲାଇଫ୍ଟାଇମ୍ ୱାର୍ଲଡ୍ୱାଇଡ୍ କଲେକ୍ସନ ପ୍ରାୟ ୧୮୫୩ କୋଟି ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତାପରେ 'ବାହୁବଳୀ-୨: ଦ କନକ୍ଲୁଜନ୍' । ପ୍ରଭାସଙ୍କ ଅଭିନୀତ ‘ବାହୁବଳୀ-୨’କୁ ଏହି ମାଇଲଷ୍ଟୋନ୍ ଛୁଇଁବା ପାଇଁ ୧୦ ଦିନ ସମୟ ଲାଗିଯାଇଥିଲା। ୨୦୧୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ୱାର୍ଲଡ୍ୱାଇଡ୍ ଆୟ ପ୍ରାୟ ୧୭୮୮ କୋଟି ଟଙ୍କା ଥିଲା । ସେଭଳି ରାଜମୌଲିଙ୍କ RRR ୧୬ ଦିନରେ ଏବଂ ୟଶଙ୍କ KGF-2 ୧୮ ଦିନରେ ୧୦୦୦ କୋଟି ଟଙ୍କା ପାର୍ କରିଥିଲା । ଆଉ ବର୍ତ୍ତମାନ ଏହି ରେସରେ ସାମିଲ ହୋଇଛି 'ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ'ର ରେକର୍ଡ । ରଣବୀର କପୁରଙ୍କ ରାମାୟଣ ମାତ୍ର ୮ ଦିନରେ ୧୦୦୦ କୋଟି ଟଙ୍କା ପାର୍ କରିଛି। ଏହି ଫିଲ୍ମ ଏବେ ଭାରତୀୟ ସିନେମାର ତୃତୀୟ ଦ୍ରୁତତମ ୧୦୦୦ କୋଟି ଆୟକାରୀ ଫିଲ୍ମ ହୋଇପାରିଛି। ତେବେ ଏଥିରୁ ସ୍ପଷ୍ଟ ଯେ ୧୦୦୦ କୋଟିର ରେକର୍ଡ ଦୌଡ଼ରେ ଏବେ ବି ପୁଷ୍ପା-୨ ଓ ଧୁରନ୍ଧର-୨ ଆଗରେ ଅଛନ୍ତି । ମାତ୍ର ଗୋଟିଏ ଦିନ ପଛରେ ରହିଛି ରାମାୟଣ। ତେବେ ଆଗକୁ ଏହି ଫିଲ୍ମ କେତେ ରେକର୍ଡ ଭାଙ୍ଗୁଛି , ତାହା ଉପରେ ସମସ୍ତଙ୍କ ନଜର।