ମୁମ୍ୱାଇ ୧୫।୧୧ : ଅଭିନେତା ଶରଦ କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ଶାହରୁଖ ଖାନଙ୍କ ସହ 'ଜୋଶ' ଏବଂ ଗୋବିନ୍ଦାଙ୍କ ସହ 'କ୍ୟୋଁକି ମେଁ ଝୁଟ୍ ନହିଁ ବୋଲତା' ଭଳି ଫିଲ୍ମରେ ଦେଖିବାକୁ ମିଳି ଥିଲା । ଭାଇରାଲ ଭିଡିଓରେ ଅଭିନେତାଙ୍କୁ ଦେଖିବା ପରେ ଦର୍ଶକ ତାଙ୍କୁ ଚିହ୍ନି ପାରୁ ନଥିଲେ । ଶରଦ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି CINTAA ଅର୍ଥାତ୍ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନକୁ କାମ ପାଇଁ ସାହାଯ୍ୟ ମାଗି ଥିଲେ । ଏବେ ଅଭିନେତାଙ୍କୁ ନେଇ ତାଜା ଖବର ସାମ୍ନାକୁ ଆସୁଛି ଯେ, ସେ ଏକ ହଲିଉଡ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଶରଦ କପୁରଙ୍କ ପାଖରେ ରହିଛି ହଲିଉଡ୍ ଫିଲ୍ମର ଅଫର

କାମ ଖୋଜୁଥିବା ଅଭିନେତା ଶରଦ କପୁର ହିନ୍ଦୁସ୍ତାନ ଟାଇମ୍ସ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ତାଙ୍କୁ ଏକ ହଲିଉଡ୍ ଫିଲ୍ମର ଅଫର ମିଳିଛି । ଏହି ଫିଲ୍ମର ସୁଟିଂ ସେ ଜାନୁଆରୀ ୨୦୨୭ରୁ ଆରମ୍ଭ କରିବେ । ସେ କହିଛନ୍ତି, ମୋତେ ଏକ ହଲିଉଡ୍ ଫିଲ୍ମର ଅଫର ମିଳିଛି । ଏହା ଉପରେ ମୁଁ ଜାନୁଆରୀରୁ କାମ ଆରମ୍ଭ କରିଦେବି । ଏହା ସହିତ ମୁଁ ବଲିଉଡ୍ ପ୍ରୋଜେକ୍ଟଗୁଡ଼ିକରେ ମଧ୍ୟ କାମ ଜାରି ରଖିବି । ଏହା ମୋ ଦେଶ । ଦୁଇ ମାସ ମଧ୍ୟରେ ଯେତେବେଳେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି, ସେତେବେଳେ ସବୁକିଛି ପୁଣି ଥରେ ଟ୍ରାକକୁ ଫେରି ଆସି।

କହି ରଖୁଛୁ କି, ଶରଦଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କାମ ମିଳିଛି ନା ଏହି ଅଫର ତାଙ୍କ ପାଖରେ ପୂର୍ବରୁ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଶରଦ ନିଜ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି ଯେ ସେ ଜଣେ ଅର୍ଥୋପେଡିକ୍ ସର୍ଜନଙ୍କ ପରାମର୍ଶ ନେଉଛନ୍ତି। ଡାକ୍ତର ତାଙ୍କୁ ଦୁଇ ମାସ ବେଡ୍ ରେଷ୍ଟ (ବିଶ୍ରାମ) ନେବାକୁ କହିଛନ୍ତି । ଏହି ଦୁଇ ମାସ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । ସୁସ୍ଥ ହେବା ପରେ ସେ ନିଜ ପୋଷା କୁକୁରମାନଙ୍କୁ ଘରକୁ ଫେରାଇ ଆଣିବେ ।

ଅଭିନେତା ନିଜ ଗୋଡ଼ର ଆଘାତ ବିଷୟରେ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ସେ ବାର୍ସିଲୋନାରେ ଫୁଟବଲ ଖେଳିବାକୁ ଯାଇ ଥିଲେ । ସେହି ସମୟରେ ତାଙ୍କର ଗୋଡ଼ ଅନ୍ୟ ଜଣେ ଖେଳାଳିଙ୍କ ସହ ବାଜି ଯାଇ ଥିଲା, ଯେଉଁଥିପାଇଁ ତାଙ୍କୁ ଗଭୀର ଆଘାତ ଲାଗି ଥିଲା । ଗୋଡ଼ରେ ଆଘାତ କାରଣରୁ ସେ ନିଜର ଚାରୋଟି ପୋଷା କୁକୁରଙ୍କର ଯତ୍ନ ନେଇପାରୁ ନଥିଲେ । ସେମାନଙ୍କୁ ବାହାରକୁ ନେବା ଏବଂ ସେମାନଙ୍କ ଦେଖାଶୁଣା କରିବା ସମ୍ଭବ ହେଉ ନଥିଲା, ଫଳରେ ଘର ମଧ୍ୟ ବହୁତ ଅପରିଷ୍କାର ହୋଇଯାଉଥିଲା । ଏପରି ପରିସ୍ଥିତିରେ ତାଙ୍କର ଚାରୋଟି କୁକୁରଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି ।

ଶରଦ ଏହା ମଧ୍ୟ କହିଛନ୍ତି ଯେ ସେ ବର୍ତ୍ତମାନ ରହୁଥିବା ଘରକୁ ବିକ୍ରି କରିବାକୁ ଯାଉଛନ୍ତି । ଏହା ପରେ ସେ ମୁମ୍ବାଇର ମଡ୍ ଆଇଲାଣ୍ଡକୁ ସିଫ୍ଟ ହେବେ। ସେ ନିଜର ନୂଆ ବଙ୍ଗଳା ପାଇଁ ପୂର୍ବରୁ ପେମେଣ୍ଟ କରି ସାରିଛନ୍ତି । ତାହା ଏକ ୭ ବେଡରୁମ୍ ବିଶିଷ୍ଟ ଘର ହେବ ଏବଂ ସେଠାରେ ତାଙ୍କ ପୋଷା କୁକୁରମାନଙ୍କ ପାଇଁ ବହୁତ ଜାଗା ରହିବ । ତେବେ ଏହି ବଙ୍ଗଳା ଭଡ଼ାରେ ନିଆଯାଇଛି ନା ଅଭିନେତା ଏହାକୁ କିଣିଛନ୍ତି, ସେ ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ ।