ମୁମ୍ୱାଇ ୧୫।୧୧ : ପ୍ରସିଦ୍ଧ ଗାୟକ ଦିଲଜିତ ଦୋସାଞ୍ଜଙ୍କ କନସର୍ଟକୁ ବୋମା ଧମକ । ମୁମ୍ବାଇରେ ଆୟୋଜିତ କନସର୍ଟ ପାଇଁ ମିଳିଛି ଏହି ଧମକ । ଯେଉଁଥି ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି କରାଯାଇଛି । ମହାରାଷ୍ଟ୍ର ରାଜ୍ୟ ପଞ୍ଜାବୀ ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ଅଧ୍ୟକ୍ଷ ବାଲ ମଲକିତ ସିଂହ, ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ମ୍ୟୁଜିକାଲ ଇଭେଣ୍ଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଏକ ଚିଠି ଲେଖିଛନ୍ତି । ମଲକିତ ସିଂହ ରାଜ୍ୟ ସରକାରଙ୍କୁ ବୋମା ଧମକ ଦିଆଯାଇ ଥିବା ଇମେଲର ତଦନ୍ତ କରିବାକୁ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ବଢ଼ାଇବାକୁ ନିବେଦନ କରିଛନ୍ତି । ମଲକିତ ଗତ ୧୦ ନଭେମ୍ବରରେ ଲେଖିଥିବା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୁମ୍ବାଇର ମେୟର ରିତୁ ତାୱଡେଙ୍କୁ କଥିତ ଭାବେ କିଛି ଇମେଲ ମିଳିଥିଲା, ଯେଉଁଥିରେ ଆସନ୍ତା ୨୭ ନଭେମ୍ବରରେ ମହାଲକ୍ଷ୍ମୀ ରେସକୋର୍ସ ଠାରେ ହେବାକୁ ଥିବା ଏହି ଇଭେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି ।

ମ୍ୟାନେଜମେଣ୍ଟ ଓ ମୁମ୍ବାଇ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସିଂହ କହିଛନ୍ତି ଯେ କାର୍ଯ୍ୟକ୍ରମ ପାଇଁ ୧୫୦୦ରୁ ଅଧିକ ପର୍ସନାଲ ସିକ୍ୟୁରିଟି ଗାର୍ଡ ମୁତୟନ କରାଯାଉଛି । ସମସ୍ତ ପାଞ୍ଚୋଟି ଗେଟରେ ପ୍ରବେଶ ସମୟରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଉଛି ଏବଂ ତଲାସୀକୁ ନେଇ ମଧ୍ୟ କଠୋର ନିୟମ ପାଳନ କରାଯିବ। ତେବେ ଏତେ ବଡ଼ ଇଭେଣ୍ଟ ଏବଂ ସୁରକ୍ଷା ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ସେ ପୁଲିସକୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ସେ ସାଇବର ସେଲକୁ ଧମକପୂର୍ଣ୍ଣ ଇମେଲ ପଠାଇବା ପାଇଁ ବ୍ୟବହୃତ ହୋଇଥିବା ଆକାଉଣ୍ଟର ଆଇପି ଆଡ୍ରେସ୍ ଏବଂ ସୋର୍ସର ତୁରନ୍ତ ତଦନ୍ତ କରି ଦୋଷୀମାନଙ୍କୁ ଚିହ୍ନଟ କରିବାକୁ ନିବେଦନ କରିଛନ୍ତି । ଏହା ସହ ସେ କାର୍ଯ୍ୟକ୍ରମ ସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଅତିରିକ୍ତ ରାଜ୍ୟ ପୁଲିସ ଯବାନ ଏବଂ କ୍ୱିକ୍ ରେସପନ୍ସ ଟିମ୍ (QRT) ମୁତୟନ କରିବାକୁ ମଧ୍ୟ ଦାବି କରିଛନ୍ତି।

ଏହା ବ୍ୟତୀତ ମଲକିତ ସିଂହ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଇଭେଣ୍ଟ ସମୟରେ ଆଣ୍ଟି-ସାବୋଟେଜ୍ ସ୍କ୍ୱାଡ୍, ବମ୍ ଡିଟେକ୍ସନ ଟିମ୍, ବୋମା ନିରୋଧକ ଦଳ ଏବଂ K9 ୟୁନିଟ୍ ଦ୍ୱାରା ସୁରକ୍ଷାର ବନ୍ଦୋବସ୍ତ କରନ୍ତୁ । ଚିଠିରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଯେ ଏହି ମ୍ୟୁଜିକାଲ ଇଭେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଜାବୀ ସମ୍ପ୍ରଦାୟ ଏବଂ ମହାରାଷ୍ଟ୍ରର ନାଗରିକମାନଙ୍କୁ ଏକାଠି ଯୋଡ଼ିବା ତଥା ସାମାଜିକ ସଦ୍ଭାବନା ଏବଂ ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବା । ଦୋସାଞ୍ଜଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିବେଦନ କରି ସିଂହ କହିଛନ୍ତି, ନା ଆମ ସମ୍ପ୍ରଦାୟ ଏବଂ ନା ହିଁ ମୁମ୍ବାଇର ନାଗରିକମାନେ କୌଣସି ଅସାମାଜିକ ତତ୍ତ୍ୱର ଚାପ କିମ୍ବା ଭୟ ସୃଷ୍ଟି କରିବାର ରଣନୀତି ଆଗରେ ମୁଣ୍ଡ ନୁଆଁଇବେ ।

ସୂଚନା ଯେ, ଏହା ପୂର୍ବରୁ ଦିଲଜିତ ଦୋସାଞ୍ଜଙ୍କର ଦିଲ୍ଲୀରେ ଆୟୋଜିତ ହୋଇଥିବା ଇଭେଣ୍ଟ ସମୟରେ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା। ଏହା ପରେ ତାଙ୍କର ସେହି କାର୍ଯ୍ୟକ୍ରମ ପ୍ରାୟ ବାତିଲ ହେବା ସ୍ଥିତିକୁ ଆସି ଯାଇ ଥିଲା, କିନ୍ତୁ ପରେ ଇଭେଣ୍ଟ ପାଇଁ ଅନୁମତି ମିଳିଥିଲା ଏବଂ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ଥିଲେ।