ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ଟେନସନ। ଓଡ଼ିଶା ଆଡ଼କୁ ମୁହାଁଇପାରେ ସାମୁଦ୍ରିକ ଝଡ଼ ‘ଅକଭାନ୍’। ଏହାର ଗତିପଥ ଓ ତୀବ୍ରତାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଲାଟେଷ୍ଟ ଟ୍ରାକ୍ ଜାରି ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ବଙ୍ଗୋପସାଗରରେ ଥିବା ଅବପାତ ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହାର ତୀବ୍ରତା ଆହୁରି ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।

ସମ୍ଭାବ୍ୟ ପାଣିପାଗ ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଅବପାତ ବାତ୍ୟାର ରୂପ ନେଇପାରେ। ଏହାପରେ ୧୭ ତାରିଖରେ ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାର ଆଶଙ୍କା ରହିଛି। ସେହିପରି ୧୯ ତାରିଖ ବେଳକୁ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ ବା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ (VSCS)ର ରୂପ ନେଇପାରେ। ଏହି ସମୟରେ ପବନର ବେଗ ୧୨୦-୧୩୫ ରହିବ। ସେହିପରି ଝଟକା ପବନର ବେଗ ୧୪୫ କିମି ଯାଇପାରେ। 

ଅନ୍ୟପଟେ, ବାତ୍ୟାର ଗତିପଥକୁ ନେଇ ଏବେବି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଏହା କେଉଁ ଉପକୂଳ ଦେଇ ସ୍ଥଳଭାଗ ଛୁଇଁବ, ତାହା ନେଇ ପାଣିପାଗ ମଡେଲ୍ଗୁଡ଼ିକ ମଧ୍ୟରେ ଭିନ୍ନ ଭିନ୍ନ ଆକଳନ ରହିଛି। ସେପଟେ, ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି। ନଭେମ୍ବର ୧୯, ୨୦ ଓ ୨୧ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଏହା ସହ ସମୁଦ୍ର ଅଶାନ୍ତ ରହିବା ଓ ପବନର ବେଗ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଓଡ଼ିଶାରେ ୧୯ ଓ ୨୦ ତାରିଖରେ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦-୬୦ କିମି ବେଗରେ ପବନ ସହ ଝଟକା ୭୦ କିମି ପର୍ଯ୍ୟନ୍ତ ହେବାର ଆକଳନ ରହିଛି।