ନୂଆଦିଲ୍ଲୀ: ଭିଏତନାମରେ ଶନିବାର ଏକ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଭିଏତନାମସ୍ଥିତ ଭାରତୀୟ ଦୂତାବାସଙ୍କ ପକ୍ଷରୁ ଜାରି ସୂଚୀ ଅନୁସାରେ ମୃତ ୧୫ ଜଣଙ୍କ ମଧ୍ୟରେ ୧୦ ଜଣ ତାମିଲନାଡୁର ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଓ ୨ ଜଣ କେରଳମର ବୋଲି ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଆଦି ଶୋକ ପ୍ରକଟ କରିଛନ୍ତି। ଭିଏତନାମସ୍ଥିତ ଭାରତୀୟ ଡିପ୍ଲୋମ୍ୟାଟିକ୍ ମିସନ ସ୍ଥିତି ଉପରେ ନଜର ରଖିଥିବାର ଓ ଲୋକାଲ ଅଧିକାରୀଙ୍କଠାରୁ ସୂଚନା ମିଳିଲେ ଅପଡେଟ୍ ଦେବେ ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ୩୬ ଜଣଙ୍କୁ ନେଇ ଯାଉଥିବା ସ୍ପିଡ ବୋଟ୍ ରଟ ନଗୋଇ ଆଇଲ୍ୟାଣ୍ଡର ୪୦୦ ମିଟର ଦୂରରେ ଓଲଟିପଡିଥିଲା। ଅଞ୍ଚଳରେ ଥିବା ଟୁରିଷ୍ଟ ବୋଟ୍ ଓଲଟିପଡିଥିବା ବୋଟ୍ କୁ ଦେଖି ସହାୟତା ନିମନ୍ତେ ତୁରନ୍ତ ନିକଟକୁ ପହଞ୍ଚିଥିଲେ। ଉଦ୍ଧାର ଅଭିଯାନରେ ସାମିଲ ଜଣେ ବୋଟ ମାଲିକ କହିଛନ୍ତି ଯେ ସେ ମାତ୍ର ୫ ମିନିଟ୍ ମଧ୍ୟରେ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଥିଲେ। ତେବେ ଅନେକ ଯାତ୍ରୀ ଓଲଟି ପଡିଥିବା ବୋଟ ତଳେ ଫଶି ରହିଥିଲେ। ଏଣୁ ଉଦ୍ଧାର ଅଭିଯାନ କଷ୍ଟ ହୋଇଥିଲା।

ଭିଏତନାମସ୍ଥିତ ଭାରତୀୟ ଦୂତାବାସ ବୋଟ୍ ରେ ଥିବା ସମସ୍ତ ୩୨ ଜଣ ଭାରତୀୟ ନାଗରିକଙ୍କ ତାଲିକା ଓ ମୃତକଙ୍କ ଏକ ଅଲଗା ତାଲିକା ଜାରି କରିଛନ୍ତି। ଏ ନେଇ ଜାରି ବୟାନରେ ଦୂତାବାସ କହିଛନ୍ତି ଯେ ଆମେ ଖୁବ୍ ଦୁଃଖର ସହିତ ସେହି ୧୫ ଜଣ ଭାରତୀୟ ନାଗରିକଙ୍କ ତାଲିକା ଜାରି କରୁଛୁ ଯେଉଁମାନେ ଆଜି ଫୁକ କ୍ୱୋକ ଦ୍ୱୀପ ନିକଟରେ ଘଟିଥିବା ଦୁଃଖଦ ନୌକା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ତାଲିକା ଭିଏତନାମ ଅଧିକାରୀଙ୍କ ଠାରୁ ମିଳିଛି।