ଭୁବନେଶ୍ଵର: କୋଟିଆରେ ପୁଣି ଦେଖାଦେଇଛି ଉତ୍ତେଜନା। ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ସୀମାନ୍ତ ଅଞ୍ଚଳରେ ବଢ଼ିଛି ଅଶାନ୍ତି। ନେରେଡିବାଲସାଠାରେ ଆନ୍ଧ୍ରର ଏଜେଣ୍ଟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢ଼ିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୋଲିସ ପ୍ରଶାସନ।

ପରିସ୍ଥିତି ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କୋଟିଆରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ୨୦ ଜଣ ସବ୍‌ଇନ୍ସପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳ ଉପରେ ପୋଲିସର କଡ଼ା ନଜର ରହିଛି।

ସୂଚନା ଅନୁସାରେ, ଆସନ୍ତା ୫ ତାରିଖରେ କୋଟିଆ ଅଞ୍ଚଳରେ ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ରାଜନୈତିକ ଓ ପ୍ରଶାସନିକ ତତ୍ପରତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ନେରେଡିବାଲସାଠାରେ ଆନ୍ଧ୍ର ଏଜେଣ୍ଟ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି।

Also Read: କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା ଆନ୍ଧ୍ର ପୋଲିସ !

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଥିବା ବେଳେ ପୁଣି ନିର୍ବାଚନକୁ ନେଇ ଉତ୍ତେଜନା ସୃଷ୍ଟି ହେବା ଚିନ୍ତା ବଢ଼ାଇଛି। ତେବେ ଅଞ୍ଚଳରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସ ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି।

ଏହା ପୂର୍ବରୁ ଆଜି ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଥିଲେ। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ବ୍ୟାରିକେଡ୍‌ କରିଥିବା ବେଳେ ଏହାକୁ ଆନ୍ଧ୍ର ପୋଲିସ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପହଞ୍ଚିଥିଲେ କୋରାପୁଟ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ।