ଭୁବନେଶ୍ଵର: ଯେବେଠୁ କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶ ବିଜ୍ଞପ୍ତି ଜାରି କରିଛି ସେହି ଦିନଠୁ ଓଡ଼ିଶାରେ ରାଜନୀତି ପାରା ବଢି ଚାଲିଛି। ସରକାର କୋଟିଆ ଆମର ଓଡ଼ିଆ ଅସ୍ମିତା, ସ୍ଵାଭିମାନର ପ୍ରତୀକ କହୁଥିବା ବେଳେ ବିରୋଧୀ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୂର ଦୃଷ୍ଟିର ଅଭାବ କାରଣରୁ ଏମିତି ସ୍ଥିତି ଉପୁଜିଛି। ଏହି କ୍ରମରେ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

କୋଟିଆ ବିବାଦର ସମାଧାନ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟରେ ମାମଲାକୁ ଦୀର୍ଘଦିନ ଧରି ଝୁଲାଇ ରଖିବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ବିବାଦର ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଛନ୍ତି।

Also Read: ମନମୋହନଙ୍କୁ ଦେବୀ ମିଶ୍ରଙ୍କ ପାଲଟା ଜବାବ, ‘Gen Z ଆନ୍ଦୋଳନକୁ ନେଇ ବିଜେପି ଭୟଭୀତ’

ଭକ୍ତ ଦାସ କହିଛନ୍ତି ଯେ , କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ଆଲୋଚନା କରି କୋଟିଆ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ସୁପ୍ରିମକୋର୍ଟକୁ ଯିବା ପରିବର୍ତ୍ତେ ତୁରନ୍ତ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ, ଅଧିକାରୀସ୍ତରୀୟ ବୈଠକ ଓ ରିପୋର୍ଟ ପ୍ରସ୍ତୁତି ଭଳି ପଦକ୍ଷେପରେ ସମସ୍ୟାର ସମାଧାନ ହୋଇପାରୁନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଗରେ ଓଡ଼ିଶା ସରକାର ଦୁର୍ବଳ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଭିଯୋଗ କରିବା ସହ ରାଜ୍ୟର ସ୍ୱାର୍ଥ ଓ ଭୂମିର ସୁରକ୍ଷା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। କୋଟିଆ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରି ଭକ୍ତ ଦାସ ରାଜ୍ୟ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ପରାମର୍ଶ ଲୋଡ଼ିଲେ ଆଇନ ମନ୍ତ୍ରୀ

ସୂଚନାଯୋଗ୍ୟ, ରାଜସ୍ୱ ମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟର ସ୍ଵାର୍ଥ ରକ୍ଷା ଉଦ୍ଦେଶ୍ଯରେ ଆଇନଗତ ଦୃଷ୍ଟିକୋଣରୁ ସମୁଚିତ ପଦକ୍ଷେପ ନେବା ଦିଗରେ ଓଡ଼ିଶାର ମହାଧିବକ୍ତା ପୀତାମ୍ବର ଆଚାର୍ଯ୍ୟଙ୍କ ସହ ସବିଶେଷ ଆଲୋଚନା କରିବା ସହ ପରାମର୍ଶ ଲୋଡ଼ି ସାରିଛନ୍ତି l ଏହି ପରିପ୍ରେକ୍ଷୀରେ, ବିବାଦର ସମାଧାନ ପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ତ୍ୱରାନ୍ୱିତ କରିବା ଏବଂ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି ।

Also Read: CJPକୁ ନବୀନଙ୍କ ସମର୍ଥନ ନେଇ ପ୍ରଶ୍ନ ଉଠାଇଲେ ମନମୋହନ, ବିଜେଡିକୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ୱାନ

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, କୋଟିଆ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହିତ ରାଜ୍ୟର ଆଇନଗତ ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିବା ରାଜ୍ୟସରକାରଙ୍କ ପ୍ରାଥମିକତାl ଏହି ଦୀର୍ଘକାଳୀନ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି l

ବିଚାରାଧୀନ ରହିଛି କେସ୍

ଜିଲ୍ଲାର କୋଟିଆ ଅଞ୍ଚଳର ଗ୍ରାମଗୁଡିକୁ ନେଇ ରହିଥିବା ଏହି ବିବାଦ ଦୀର୍ଘବର୍ଷ ଧରି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ଆଇନଗତ ପ୍ରକ୍ରିୟାର ବିଷୟ ହୋଇରହିଛି। ୨୦୦୬ ମସିହାରେ ଆନ୍ତଃରାଜ୍ୟ ସୀମା ବିବାଦରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା ଦାୟର କେସ୍ ସର୍ବୋଚ୍ଚ ନ୍ଯାୟାଳୟରେ ଖାରଜ ହେବା ପରେ ଏହା ଉପରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଓ କ୍ଯୁରେଟିଭ୍ (ସଂଶୋଧନ) ପିଟିସନ୍ ମଧ୍ୟ ଖାରଜ ହୋଇଥିଲା। ମାତ୍ର ତୁରନ୍ତ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଦୀର୍ଘ ଷୋହଳ ବର୍ଷ ବ୍ୟବଧାନରେ ୨୦୨୨ ମସିହାରେ ତତ୍କାଳୀନ ସରକାର ପୁନଶ୍ଚ ଆଉ ଏକ କେସ ଦାଖଲ କରିଥିଲେ ; ଯାହା ଏବେ ବିଚାରଧୀନ ରହିଅଛି।