ଭୁବନେଶ୍ବର ୨୨।୧୦: ମୁମ୍ବାଇର ନେସ୍କୋ ସ୍ଥିତ ବମ୍ବେ ଏକ୍ସିବିସନ୍ ସେଣ୍ଟରରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଭାରତର ସମ୍ଭାବନା ଏବଂ ନିବେଶ ସୁଯୋଗକୁ ନେଇ ଆୟୋଜିତ ଏହି ଦ୍ୱିବାର୍ଷିକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ FICCIର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବିଷୟବସ୍ତୁ ରହିଛି— “Advantage BHARAT: An Emerging Global Chemicals Hub” । ଏହି ମଞ୍ଚ ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପର ନେତୃତ୍ୱ, ନିବେଶକ ଓ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରିବା ସହ ଶିଳ୍ପ ସହଭାଗିତା ଓ ନୂଆ ନିବେଶ ସୁଯୋଗ ଅନ୍ୱେଷଣ ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ।

ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭାରତ ସରକାରଙ୍କ ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ରହିଛନ୍ତି ।

ଏହା ସହିତ FICCI ନ୍ୟାସନାଲ୍ କେମିକାଲ୍ କମିଟିର ଏକ୍ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ବିମଲ୍ ଏଲ୍. ଗୋକୁଲଦାସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ନିଖିଲ୍ ଆର୍. ମେସୱାନୀ, FICCIର ସିନିୟର ଭାଇସ୍ ପ୍ରେସିଡେଣ୍ଟ ତଥା ସାନମାର୍ ଗ୍ରୁପ୍ର ଚେୟାରମ୍ୟାନ୍ ବିଜୟ ଶଙ୍କର, ଗୁଜରାଟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ ଛଗନଭାଇ ପାନସେରିଆ, କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍ ବିଭାଗର ସଚିବ ତେଜବୀର ସିଂହ, UPL ଲିମିଟେଡ୍ର ଚେୟାରମ୍ୟାନ୍ ତଥା ଗ୍ରୁପ୍ ସିଇଓ ଜୟ ଶ୍ରଫ୍ ଏବଂ HMELର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ପ୍ରଭ ଦାସ ମଧ୍ୟ ଉଦ୍ଘାଟନୀ ଅଧିବେଶନରେ ଉପସ୍ଥିତ ରହିଛନ୍ତି ।

ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପରେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ ଏବଂ ନିବେଶ ସମ୍ଭାବନାକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବା। ମୁଖ୍ୟମନ୍ତ୍ରୀ ଶିଳ୍ପ ନେତୃତ୍ୱଙ୍କ ସହ ରାଉଣ୍ଡଟେବୁଲ୍ ଆଲୋଚନା ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଏକକ ବୈଠକରେ ଯୋଗଦେବେ। ଏହି ଆଲୋଚନାରେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା, ଡାଉନଷ୍ଟ୍ରିମ୍ ଉତ୍ପାଦନର ସମ୍ପ୍ରସାରଣ ଏବଂ ନିବେଶ ସହଭାଗିତାର ସୁଯୋଗ ଉପରେ ଗୁରୁତ୍ୱ ରହିବ।

କୋଲ୍ ଗ୍ୟାସିଫିକେସନ୍ର ସମ୍ଭାବନା ଏବଂ ଏକ ବୃହତ୍ ସ୍ୱତନ୍ତ୍ର ରସାୟନ ଶିଳ୍ପ ପାର୍କ ସ୍ଥାପନର ପରିକଳ୍ପନା ଓଡ଼ିଶାର ନିବେଶ ଅଭିଯାନର ଅନ୍ୟତମ ପ୍ରମୁଖ ଦିଗ। ଏହି କ୍ଷେତ୍ରରେ ନୂଆ ଶିଳ୍ପ ପ୍ରତିଷ୍ଠା ହେଲେ ମୂଲ୍ୟଯୁକ୍ତ ଉତ୍ପାଦନ, ସହଯୋଗୀ ଶିଳ୍ପର ବିକାଶ ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟିର ନୂଆ ସମ୍ଭାବନା ଖୋଲିପାରିବ।