ନୂଆଦିଲ୍ଲୀ: ଏସୀୟ ପାରା ଗେମ୍ସ ୨୦୨୬ରେ ଭାରତୀୟ ପାରା-ଚୀରନ୍ଦାଜ ଶୀତଲ ଦେବୀ ଏବଂ ପାୟଲ ନାଗ ମହିଳା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍ ମୁକାବିଲାରେ ଚୀନର ଜୁ ଜୁକିଙ୍ଗ୍ ଏବଂ ଝାଓ ଜିଙ୍ଗଙ୍କଠାରୁ ପରାସ୍ତ ହୋଇ ପୋଡିୟମର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଭାରତୀୟ ଯୋଡ଼ି ଫାଇନାଲରେ କଡ଼ା ମୁକାବିଲା କରିଥିଲା, କିନ୍ତୁ ଚୀନ ଯୋଡ଼ିଠାରୁ ୧୪୧-୧୫୦ରେ ପରାଜିତ ହୋଇଥିଲେ ।

ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଶୀତଲ ସୋମବାର ମହିଳା କମ୍ପାଉଣ୍ଡ ଯୋଗ୍ୟତା ରାଉଣ୍ଡରେ ବିଶ୍ୱ ରେକର୍ଡ ସମକକ୍ଷ କରି  ପ୍ରଭାବଶାଳୀ ଆରମ୍ଭ କରିଥିଲେ । ୧୮ ବର୍ଷୀୟ ଶୀତଲ ସମ୍ଭାବ୍ୟ ୭୨୦ ପଏଣ୍ଟରୁ ୭୦୪ ପଏଣ୍ଟ ପାଇ ତୁର୍କିର ଓଜନୁର କ୍ୟୁର ଗିର୍ଡିଙ୍କ ବିଶ୍ୱ ରେକର୍ଡ ସହିତ ସମକକ୍ଷ ହୋଇଥିଲେ । ଏହି ପ୍ରଦର୍ଶନ ଦ୍ୱାରା ଶୀତଲ ମାର୍ଚ୍ଚ ମାସରେ ବ୍ୟାଙ୍କକକରେ ସ୍ଥାପନ କରିଥିବା ନିଜସ୍ୱ ଏସୀୟ ରେକର୍ଡ ୬୯୮କୁ ଅତିକ୍ରମ କରି ଛଅ ପଏଣ୍ଟ ବୃଦ୍ଧି କରିଥିଲେ । ସେ ଏସୀୟ ପାରା ଗେମ୍ସ ରେକର୍ଡ ୬୮୦ରୁ ୭୦୪କୁ ବୃଦ୍ଧି କରିଥିଲେ ।

ସେପଟେ ପାୟଲ ନାଗଙ୍କ ରୌପ୍ୟ ପଦକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାନ କରିଛି । ଓଡ଼ିଶାର ବଲାଙ୍ଗୀରର ଏହି ୧୮ ବର୍ଷୀୟା ପାରା-ତୀରନ୍ଦାଜ ପିଲାଦିନେ ଏକ ହାଇ-ଭୋଲଟେଜ ବିଦ୍ୟୁତ୍ ଆଘାତରେ ତାଙ୍କର ଚାରିଟି ଅଙ୍ଗ ହରାଇଥିଲେ । ପରେ ସେ ତାଙ୍କ ମୁହଁ ବ୍ୟବହାର କରି ଦୈନନ୍ଦିନ କାର୍ଯ୍ୟକଳାପ କରିବା ଶିଖିଥିଲେ । ଶୀତଲ ଦେବୀଙ୍କ ଠାରୁ ପ୍ରେରିତ ହୋଇ ତୀରନ୍ଦାଜ ଶିଖିଥିଲେ । ଅନ୍ତର୍ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଚାରି ଗୋଡ଼ ହାତ ହରାଇ ଅଂଶଗ୍ରହଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ।

 

ପାୟଲ ନାଗଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଜାପାନର ଆଇଚି-ନାଗୋୟାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପାଇଁ ଭାରତୀୟ ପାରା ତୀରନ୍ଦାଜ ଶୀତଲ ଦେବୀ ଏବଂ ଓଡ଼ିଶାର ପାୟଲ ନାଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ଏବଂ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ, ନିଷ୍ଠା, ସ୍ଥିରତା ଏବଂ ନାରୀ ଶକ୍ତିର ଶକ୍ତି ପ୍ରଦର୍ଶନ ! ଉଭୟ ଚାମ୍ପିଅନଙ୍କୁ ଭବିଷ୍ୟତରେ ଆହୁରି ସଫଳତା କାମନା କରୁଛି ।