ନୂଆଦିଲ୍ଲୀ, ୨୨/୧୦:ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍ ) ବିରୋଧରେ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବ। ଏଥିରେ ବିରୋଧୀ ଦଳଙ୍କ‘ଇଣ୍ଡି'ମେଣ୍ଟ,ନାଗରିକ ସଂଗଠନ,ଛାତ୍ର ସଂଘ,ଚାଷୀ ସଂଗଠନ,ସଂଖ୍ୟାଲଘୁ ସଂଗଠନ ଆଦି ସାମିଲ ହେବେ ।‘ପିପୁଲ୍ ଏଗେନଷ୍ଟ ଏସଆଇଆର୍ ବ୍ୟାନରରେ ଏହି ଆନ୍ଦୋଳନ ହେବ।

ଏହି ଆନ୍ଦୋଳନର ମୁଖ୍ୟ ଦାବି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା,ଏସଆଇଆରକୁ ରଦ୍ଦ କରିବା,ଭୋଟର ତାଲିକାରୁ ହଟିଥିବା ନାମଗୁଡ଼ିକୁ ପୁନଃ ସାମିଲ କରିବା,ବାଲଟ୍ ପେପରରେ ନିର୍ବାଚନ କରାଇବା ଏବଂ ନିର୍ବାଚନ କମିଶନ ଆଇନ ୨୦୨୩କୁ ହଟାଇବା ଆଦି ରହିଛି।

Also Read :-SIR ତାତି : କାଲି ସାରା ଦେଶରେ ଆନ୍ଦୋଳନ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗର୍ଜିବେ ବିରୋଧୀ ଦଳ

ଆୟୋଜକଙ୍କ ଅନୁସାରେ,ଚଳିତମାସ ୧୪ ତାରିଖରେ ଅନୁଷ୍ଠିତ ମିଳିତ ବୈଠକରେ ପ୍ରତିବାଦ ପଦଯାତ୍ରା ବାହାର କରିବା ଲାଗି ନିଷ୍ପଭି ନିଆଯାଇଥିଲା।‘ପିପୁଲ୍ ଏଗେନଷ୍ଟ ଏସଆଇଆର୍'ଆନ୍ଦୋଳନକୁ ସମର୍ଥନ ଲାଗି ଇଣ୍ଡି ମେଣ୍ଟର ସହଯୋଗ ଲୋଡ଼ାଯାଇଛି। ଏହି‘ପିପୁଲ୍ ଏଗେନଷ୍ଟ ଏସଆଇଆର୍’ମେଣ୍ଟରେ ଅଭିନେତା ପ୍ରକାଶ ରାଜ,ବରିଷ୍ଠ ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ,ଅର୍ଥ ନୀତିଜ୍ଞ ତଥା ଲେଖକ ପରାକଲା ପ୍ରଭାକର,ଚାଷୀ ନେତା ରାକେଶ ଟିକାୟତ,ଆରଟିଆଇ କର୍ମୀ ଅଞ୍ଜଳି ଭରଦ୍ୱାଜ,ସିଜେପି ମୁଖ୍ୟ ଅଭିଜିତ ଦୀପକେ,ଏଆଇଏସଏ ରାଷ୍ଟ୍ରୀୟ ସଭାପତି ନେହା ବୋରା,ଏସଏଫଆଇ ନେତା ଆଇଶେ ଘୋଷ ଏବଂ ଏଆଇଏସଏଫ ସଭାପତି ବିରାଜ ଦେବାଙ୍ଗ ସଦସ୍ୟ ରହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରାକଲା ସିଜେପି ମୁଖ୍ୟ ଅଭିଜିତ ଏବଂ ପ୍ରକାଶ ରାଜଙ୍କ ସହ ଗୋଟିଏ ମଞ୍ଚକୁ ଆସିବେ ବୋଲି ଜଣାପଡ଼ିଛି। ଏହି ଖବର ଚର୍ଚ୍ଚାର ଖୋରାକ ଯୋଗାଇଛି। ପରାକଲା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ପ୍ରତି ଗଳିରେ ଜନ୍ତରମନ୍ତର ! ଶୁକ୍ରବାର,୨୩ ଅକ୍ଟୋବର,୨୦୨୬: ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ଜନ ପଦଯାତ୍ରା । ଆସନ୍ତୁ,ଏହି ଚ୍ୟାଲେଞ୍ଜର ସାମ୍ନା କରନ୍ତୁ। ଏହା ପୂର୍ବରୁ ପରାକଲା ୟୁଟ୍ୟୁବର ଧ୍ରୁବ ରାଠି ଓ ପ୍ରକାଶ ରାଜଙ୍କ ଭଳି ବ୍ୟକ୍ତିଙ୍କ ସହ ଚଳିତ ମାସ ୮ ତାରିଖରେ ସାକ୍ଷାତ ମଧ୍ୟ କରିଥିଲେ ।