ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ଦୀର୍ଘ ସମୟ ଧରି ୭ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହାରରେ ଆଗକୁ ବଢ଼ାଇବାକୁ ହେଲେ ଘରୋଇ ନିବେଶ ବୃଦ୍ଧି, ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଉତ୍ପାଦନ ଶିଳ୍ପ, ମାନବ ସମ୍ବଳର ବିକାଶ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବା ଆବଶ୍ୟକ। ଏପରି ମତ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି. ସୁବାରଓ ।

ତାଙ୍କ ମତରେ, କେବଳ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ଯଥେଷ୍ଟ ନୁହେଁ। ଏହି ଅଭିବୃଦ୍ଧି ଉତ୍ପାଦନକ୍ଷମ ହେବା ସହ ଅଧିକ ନିଯୁକ୍ତି ସୃଷ୍ଟି କରିବା ଏବଂ ବିଭିନ୍ନ ଆର୍ଥିକ ଆହ୍ୱାନ ସତ୍ତ୍ୱେ ଦୀର୍ଘକାଳୀନ ଭାବେ ସ୍ଥିର ରହିବା ଦରକାର।ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସୁବ୍ବାରାଓ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ୭.୮ ପ୍ରତିଶତ ଅଭିବୃଦ୍ଧି ହାର ଦେଶର ଅର୍ଥନୀତି ଆଶାଠାରୁ ଅଧିକ ସହନଶୀଳ ଥିବା ସୂଚାଉଛି। ଭାରତର ମଧ୍ୟମ ଅବଧିର ଆର୍ଥିକ ଭବିଷ୍ୟତକୁ ନେଇ ସେ ଆଶାବାଦୀ ଥିବା କହିଥିଲେ ମଧ୍ୟ ଏଥିପ୍ରତି ଆତ୍ମସନ୍ତୋଷ ପ୍ରକାଶ ନକରିବାକୁ ମତ ଦେଇଛନ୍ତି।

ଭାରତର ଅର୍ଥନୀତିରେ ପ୍ରଥମ ତ୍ରୈମାସିକର ଅଭିବୃଦ୍ଧି ପଛରେ ତିନୋଟି ପ୍ରମୁଖ କାରଣ ରହିଥିବା ସୁବ୍ବାରାଓ କହିଛନ୍ତି। ପ୍ରଥମତଃ, ଦେଶ ଭିତରେ ଉପଭୋଗ ଚାହିଦା ସ୍ଥିର ରହିଛି। ଦ୍ୱିତୀୟତଃ, ଭିତ୍ତିଭୂମି କ୍ଷେତ୍ରରେ ସରକାରୀ ନିବେଶ ଚାହିଦା ବଢ଼ାଇବା ସହ କିଛି କ୍ଷେତ୍ରରେ ଘରୋଇ ନିବେଶକୁ ମଧ୍ୟ ଉତ୍ସାହିତ କରିଛି। ତୃତୀୟତଃ, ଉତ୍ପାଦନ ଓ ସେବା କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛି। ବିଶେଷକରି ଆର୍ଥିକ ସେବା, ରିଅଲ୍ ଇଷ୍ଟେଟ୍ ଓ ବୃତ୍ତିଗତ ସେବା କ୍ଷେତ୍ର ଅଭିବୃଦ୍ଧିରେ ଯୋଗଦାନ ଦେଇଛି।

ଏହି ସକାରାତ୍ମକ ସଙ୍କେତ ମଧ୍ୟରେ ବିଶ୍ୱ ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ୬.୬ ପ୍ରତିଶତରୁ ବଢ଼ାଇ ୭.୧ ପ୍ରତିଶତ କରିଛି। ଦେଶରେ ଦୃଢ଼ ଘରୋଇ ଚାହିଦା ଓ ରପ୍ତାନିର ଭଲ ପ୍ରଦର୍ଶନ ଏହି ସଂଶୋଧନର ପ୍ରମୁଖ କାରଣ। ଏସୀୟ ଉନ୍ନୟନ ବ୍ୟାଙ୍କ , ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ ଏବଂ ଏସ୍ଆଣ୍ଡପି ଓ ଫିଚ୍ ଭଳି ରେଟିଂ ସଂସ୍ଥା ମଧ୍ୟ ଭାରତର ଅଭିବୃଦ୍ଧି ନେଇ ଆକଳନ ବଢ଼ାଇଛନ୍ତି। ଏହାର ଆକଳନକୁ ୦.୮ ପ୍ରତିଶତ ପଏଣ୍ଟ ବଢ଼ାଇ ୭.୧ ପ୍ରତିଶତ କରିଛି।

ତେବେ ଦ୍ରୁତ ଅଭିବୃଦ୍ଧି ସତ୍ତ୍ୱେ କାହିଁକି ବଢ଼ୁନି ନିଯୁକ୍ତି?ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଥିବା ସତ୍ତ୍ୱେ ଯୁବପିଢ଼ିଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି କାହିଁକି ମିଳୁନାହିଁ, ସେ ସମ୍ପର୍କରେ ସୁବାରାଓ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ତାଙ୍କ ଅନୁଯାୟୀ, ସମସ୍ୟା ଏହା ନୁହେଁ ଯେ ଆର୍ଥିକ ଅଭିବୃଦ୍ଧି ଆଦୌ ନିଯୁକ୍ତି ସୃଷ୍ଟି କରୁନାହିଁ। ବରଂ ଅର୍ଥନୀତିର କେଉଁ କ୍ଷେତ୍ରରେ ଅଭିବୃଦ୍ଧି ହେଉଛି, ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅଭିବୃଦ୍ଧିର ଗତି ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପୁଞ୍ଜିନିବେଶ ଓ ଅଟୋମେସନ୍ ଉପରେ ଅଧିକ ନିର୍ଭରଶୀଳ ଶିଳ୍ପରେ ଉତ୍ପାଦନ ବଢ଼ିପାରେ, କିନ୍ତୁ ସେହି ଅନୁପାତରେ ନିଯୁକ୍ତି ସୃଷ୍ଟି ହୋଇନପାରେ। ଫଳରେ ଦେଶର ମୋଟ ଉତ୍ପାଦନ ବଢ଼ିଥିଲେ ମଧ୍ୟ ଲୋକଙ୍କ ପାଇଁ ନୂଆ ଚାକିରିର ସୁଯୋଗ ସେହି ଅନୁପାତରେ ବଢ଼େ ନାହିଁ। ଭାରତ ପାଇଁ ଏହା ଏକ ପ୍ରମୁଖ ଆହ୍ୱାନ ବୋଲି ସେ କହିଛନ୍ତି।

କୃଷି କ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଶ୍ରମର ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ। ସେହିପରି ସେବା କ୍ଷେତ୍ରରେ ମଧ୍ୟ ଅନେକ ଚାକିରି ଅସଂଗଠିତ, କମ୍ ଉତ୍ପାଦନକ୍ଷମ ଓ ସ୍ୱଳ୍ପ ଦରମାଯୁକ୍ତ। ଅନ୍ୟପକ୍ଷରେ, ଉଚ୍ଚଶିକ୍ଷିତ ଯୁବକଯୁବତୀ ନିଜ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ଚାକିରି ପାଇବାରେ ଅସୁବିଧା ଭୋଗୁଛନ୍ତି। ସୁବ୍ବାରାଓଙ୍କ ମତରେ, ନିଯୁକ୍ତି ସମସ୍ୟା କେବଳ ଶ୍ରମ ବଜାରରେ ସୀମିତ ନୁହେଁ; ଏହାର ପ୍ରଭାବ ସମଗ୍ର ଅର୍ଥନୀତି ଉପରେ ପଡ଼େ। ଯଦି ଆର୍ଥିକ ଅଭିବୃଦ୍ଧିର ଲାଭ ସମାଜର ଏକ ବଡ଼ ବର୍ଗର ଲୋକଙ୍କ ଆୟରେ ପ୍ରତିଫଳିତ ନହୁଏ, ତେବେ ବଜାରରେ ଉପଭୋଗ ଚାହିଦା ସୀମିତ ରହିଥାଏ।

ଲୋକଙ୍କ ଆୟ ନବଢ଼ିଲେ ସେମାନେ ଅଧିକ ସାମଗ୍ରୀ ଓ ସେବା କିଣିପାରିବେ ନାହିଁ। ଏହାଦ୍ୱାରା ବ୍ୟବସାୟର ବିକ୍ରି ଓ ଲାଭ ବୃଦ୍ଧି ପ୍ରଭାବିତ ହୋଇପାରେ। ଫଳରେ ନୂଆ ନିବେଶ ଓ ବ୍ୟବସାୟ ବିସ୍ତାର ପାଇଁ ଉଦ୍ୟୋଗୀଙ୍କ ଉତ୍ସାହ କମିପାରେ। ଏପରି ସ୍ଥିତି ଆର୍ଥିକ ଅଭିବୃଦ୍ଧିକୁ ଦୁର୍ବଳ କରି ଏକ ଦୁଷ୍ଟଚକ୍ର ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇଛନ୍ତି।

ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଶ୍ରମଭିତ୍ତିକ ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉପରେ ସୁବ୍ବାରାଓ ଜୋର ଦେଇଛନ୍ତି। ଏଥିରେ ବୟନ ଶିଳ୍ପ, ପୋଷାକ ନିର୍ମାଣ, ଜୋତା ଉତ୍ପାଦନ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ର ସାମିଲ ରହିଛି। ଏହା ସହିତ ଉତ୍ପାଦନକ୍ଷମ ସେବା କ୍ଷେତ୍ରରେ ନିଯୁକ୍ତି ବଢ଼ାଇବା, ଧନ୍ଦାମୂଳକ ତାଲିମକୁ ଉନ୍ନତ କରିବା ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ବଡ଼ ଓ ଅଧିକ ଉତ୍ପାଦନକ୍ଷମ ଉଦ୍ୟୋଗରେ ପରିଣତ ହେବା ପାଇଁ ସୁଯୋଗ ସୃଷ୍ଟି କରିବା ଜରୁରୀ। ଏପରି ପଦକ୍ଷେପ ଦ୍ୱାରା ଉତ୍ପାଦନ ବୃଦ୍ଧି ସହ ଅଧିକ ଲୋକଙ୍କୁ ରୋଜଗାର ମିଳିପାରିବ।

ଭାରତର ମୋଟ ଘରୋଇ ଉତ୍ପାଦ ଆକଳନ ପଦ୍ଧତିରେ ହୋଇଥିବା ପରିବର୍ତ୍ତନ ଅର୍ଥନୀତିର ପ୍ରକୃତ ସ୍ଥିତିକୁ ସଠିକ୍ ଭାବେ ଦର୍ଶାଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସୁବ୍ବାରାଓ ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ପ୍ରସଙ୍ଗରେ ଦୁଇଟି ପ୍ରଶ୍ନକୁ ଅଲଗା ଭାବେ ଦେଖିବା ଦରକାର। ପ୍ରଥମଟି ହେଉଛି ଜିଡିପି ଆକଳନ ପଦ୍ଧତି ବୈଜ୍ଞାନିକ ଓ ଉପଯୁକ୍ତ କି ନୁହେଁ। ଦ୍ୱିତୀୟଟି ହେଉଛି, ସେହି ପଦ୍ଧତିରୁ ମିଳୁଥିବା ଆକଳନ ବାସ୍ତବ ଅର୍ଥନୈତିକ ସ୍ଥିତିକୁ କେତେ ମାତ୍ରାରେ ପ୍ରତିଫଳିତ କରୁଛି। ଅର୍ଥନୀତିର ଗଠନ ବଦଳୁଥିବାରୁ ଜିଡିପି ଆକଳନର ପଦ୍ଧତିକୁ ସମୟୋପଯୋଗୀ କରିବା ଆବଶ୍ୟକ। ଏଥିପାଇଁ ଅସଂଗଠିତ କ୍ଷେତ୍ରର ଉତ୍ପାଦନକୁ ଅଧିକ ସଠିକ୍ ଭାବେ ଆକଳନ କରିବା, ଉତ୍ପାଦନ ଓ ଉପକରଣର ମୂଲ୍ୟ ପରିବର୍ତ୍ତନକୁ ପୃଥକ୍ ଭାବେ ହିସାବ କରିବା ଏବଂ ଉତ୍ପାଦକ ମୂଲ୍ୟ ସୂଚକାଙ୍କକୁ ଉନ୍ନତ କରିବା ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

ତେବେ ପଦ୍ଧତିରେ ସୁଧାର ହେଲେ ମଧ୍ୟ ପ୍ରତ୍ୟେକ ଆକଳନ ସଠିକ୍ ହେବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଉତ୍ପାଦନ କ୍ଷେତ୍ରର ମୂଲ୍ୟ ସୂଚକାଙ୍କ ଏବଂ ଜିଡିପି ତଥ୍ୟ ଓ ଅନ୍ୟ ଆର୍ଥିକ ସୂଚକାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ୱଚ୍ଛ ଓ ବୈଷୟିକ ଭାବେ ଯାଞ୍ଚ କରିବା ଦରକାର। ସମ୍ପୃକ୍ତ ପରିସଂଖ୍ୟାନ ସଂସ୍ଥାଗୁଡ଼ିକ ତଥ୍ୟ, ଧାରଣା ଓ ଏହି ପାର୍ଥକ୍ୟର କାରଣ ସ୍ପଷ୍ଟ କରିବା ଉଚିତ୍ ବୋଲି ସୁବ୍ବାରାଓ ମତ ଦେଇଛନ୍ତି।

ଭାରତର ଆର୍ଥିକ ସଫଳତାକୁ ଦେଶର ଉତ୍ପାଦନ ହାର ଅନୁସାରେ ମାପିବା ଉଚିତ ନୁହେଁ। ସେହି ଉତ୍ପାଦନରୁ କେତେ ଲୋକ ସମ୍ମାନଜନକ ଜୀବିକା ଅର୍ଜନ କରିପାରୁଛନ୍ତି, ତାହା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସୁବ୍ବାରାଓ କହିଛନ୍ତି। ତାଙ୍କ ମତରେ, ଭାରତକୁ ଏପରି ଅଭିବୃଦ୍ଧି ଆବଶ୍ୟକ, ଯାହା ନୂଆ ନିଯୁକ୍ତି ସୃଷ୍ଟି କରିବ ଏବଂ ସେହି ନିଯୁକ୍ତି ଲୋକଙ୍କ ଉତ୍ପାଦନକ୍ଷମତା ଓ ଆୟ ବଢ଼ାଇବ। ଏପରି ନହେଲେ ଦେଶର ବିଶାଳ ଯୁବ ଜନସଂଖ୍ୟା ଯେଉଁ ଆର୍ଥିକ ଲାଭ ଦେବାକଥା , ତାହା ଭବିଷ୍ୟତରେ ନିରାଶାର କାରଣ ହୋଇପାରେ।

also read- ଭାରତରେ କାମ କରୁଛନ୍ତି ଅଧିକ ମହିଳା, ହେଲେ ମିଳୁନି ଦରମା; ଅକ୍ସଫାମ୍ ରିପୋର୍ଟରେ ବଡ଼ ଖୁଲାସା

ମୋଟାମୋଟୀ ଭାବରେ କହିବାକୁ ଗଲେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଥିବା ସତ୍ତ୍ୱେ ଏହି ଅଭିବୃଦ୍ଧିର ଲାଭ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଘରୋଇ ନିବେଶ, ଶ୍ରମଭିତ୍ତିକ ଶିଳ୍ପ, ଦକ୍ଷତା ବିକାଶ ଓ ଉତ୍ପାଦନକ୍ଷମ ନିଯୁକ୍ତିକୁ ପ୍ରାଥମିକତା ଦେଲେ ହିଁ ଦୀର୍ଘକାଳୀନ ଅଭିବୃଦ୍ଧିକୁ ଅଧିକ ସମାବେଶୀ ଓ ସ୍ଥିର କରାଯାଇପାରିବ।