ନୂଆଦିଲ୍ଲୀ, ୨୨/୧୦: ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ସେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ।୪୦ ବର୍ଷୀୟ ସେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଜାପାନ ପୋଲିସ ସେଖଙ୍କୁ ଅଟକ ରଖିଥିଲା । କିନ୍ତୁ ମଙ୍ଗଳବାର ତାଙ୍କୁ ଭାରତକୁ ପଠାଇ ଦିଆଯାଇଛି ।

ଘଟଣାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତାଙ୍କ ବିରୋଧରେ ଆଜୀବନ ବ୍ୟାନ୍ ଲଗାଇବାକୁ ବିଚାର କରୁଛି । ରିପୋର୍ଟ ଅନୁସାରେ, ଗତ ସୋମବାର ଏହି ଘଟଣା ଘଟିଥିଲା । ଭାରତୀୟ ଦଳ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ଜଣେ ମହିଳା ହାଉସକିପିଂ କର୍ମଚାରୀ ସେଖଙ୍କ କୋଠରୀରେ କିଛି କାମ କରୁଥିଲେ । ଏତିକି ବେଳେ ସେଖ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Also Read :- ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ : ଶ୍ରେୟସଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ୍, ଭୁବନେଶ୍ୱର କୁମାରଙ୍କ ଉପରେ ଫୋକସ

ଘଟଣାକୁ ନେଇ ମହିଳା ସ୍ଥାନୀୟ ଆୟୋଜନ ସମିତି ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଭାରତୀୟ ଅଧିକାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା । ସୋମବାର ଜାପାନ ପୋଲିସ ସେଖଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଭାରତ ପଠାଇ ଦେଇଛି । କୌଣସି ଇଭେଣ୍ଟରେ ଭାଗ ନନେଇ ସେ ଭାରତ ଫେରି ଆସିଛନ୍ତି ।

ମାମଲାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ବା ପିସିଆଇ ତଦନ୍ତ ଆରମ୍ଭ କରିଛି । ସେଖଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଚାରବିମର୍ଶ ଚାଲିଛି । ସମୀକ୍ଷା କରାଯିବା ପରେ ଔପଚାରିକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିହାରର ସେଖ୍ ମହମ୍ମଦ ଅସଲାମ୍ ଭାରତୀୟ ପାରା ସ୍ୱିମିଂର ସିନିଅର୍ ଖେଳାଳି । ସେ ବିଭିନ୍ନ ବର୍ଗରେ ନମ୍ବର ଓ୍ୱାନ୍ ରାଙ୍କ୍ ହାସଲ କରିସାରିଛନ୍ତି ।୨୦୧୮ରେ ଜାକର୍ତ୍ତାରେ ସେ ଏସିଆନ୍ ଗେମ୍ସରେ ଭାଗନେଇ ସୁନା ଜିତିଥିଲେ ।