ଭୁବନେଶ୍ୱର: ଟର୍ମିନାଲ ଇଲନେସ୍ ବା ମାରାତ୍ମକ ରୋଗ ଆଧାରରେ ଆନ୍ତଃଜିଲ୍ଲା ଓ ଜିଲ୍ଲା ଭିତ୍ତିକ ବଦଳି ପାଇଁ ହୋଇଥିବା ଆବେଦନଗୁଡ଼ିକର ସତ୍ୟତା ଯାଞ୍ଚ କରିବାକୁ କୋରାପୁଟରେ ବସିବ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ । ଏନେଇ କୋରାପୁଟ CDM&PHOଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍.ଏଲ୍.ଏନ୍. ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟ ପରିସରରେ ଥିବା କ୍ଲିନିକାଲ ଲେକଚର ଥିଏଟରରେ ସକାଳ ୧୦ଟାରୁ ଏହି ମେଡିକାଲ ପରୀକ୍ଷା ଅନୁଷ୍ଠିତ ହେବ।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ୧୨୫ ଜଣ ଆବେଦନକାରୀଙ୍କ ପାଇଁ ଜୁଲାଇ ୨ ତାରିଖରେ, ନବରଙ୍ଗପୁର ଜିଲ୍ଲାର ୧୭୯ ଜଣଙ୍କ ପାଇଁ ଜୁଲାଇ ୩ ତାରିଖରେ, ମାଲକାନଗିରି ଜିଲ୍ଲାର ୧୨୫ ଜଣଙ୍କ ପାଇଁ ଜୁଲାଇ ୪ ତାରିଖରେ ଏବଂ କୋରାପୁଟ ଜିଲ୍ଲାର ୨୧୯ ଜଣଙ୍କ ପାଇଁ ଜୁଲାଇ ୬ ତାରିଖରେ ମେଡିକାଲ ବୋର୍ଡ ବସିବ।

ଆବେଦନକାରୀମାନଙ୍କୁ ଅନଲାଇନ୍ ଆବେଦନର କପି, ବୈଧ ପରିଚୟପତ୍ର, ସମସ୍ତ ମୂଳ ଚିକିତ୍ସା ରେକର୍ଡ ଏବଂ ସେଗୁଡ଼ିକର ଜେରକ୍ସ କପି ସହ ନିର୍ଦ୍ଧାରିତ ଦିନରେ ଉପସ୍ଥିତ ହେବାକୁ କୁହାଯାଇଛି। ବଡ଼ କଥା ହେଉଛି, ଯାହାଙ୍କ ନାମରେ ରୋଗ ଦର୍ଶାଯାଇଛି ସେହି ରୋଗୀଙ୍କର ଶାରୀରିକ ଉପସ୍ଥିତି ମେଡିକାଲ ପରୀକ୍ଷା ପାଇଁ ବାଧ୍ୟତାମୂଳକ ବୋଲି CDM&PHO ସ୍ପଷ୍ଟ କରିଛନ୍ତି।

ଟର୍ମିନାଲ ଇଲନେସ୍ ଆଧାରରେ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦାବିର ସତ୍ୟତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିବା ଜଣାପଡ଼ିଛି।