ହାଇଦ୍ରାବାଦ : ସାଉଥ୍ ସୁପରଷ୍ଟାରରୁ ରାଜନେତା ପାଲଟିଥିବା ପବନ କଲ୍ୟାଣ ଏବେ ଲାଇମଲାଇଟରେ । ଫିଲ୍ମ ହେଉ କି ରାଜନୀତି, ସବୁବେଳେ ଚର୍ଚ୍ଚାରେ ରହୁଥିବା ପବନ କଲ୍ୟାଣ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନରେ। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ସେ ବିବାହର ୧୩ ବର୍ଷ ପରେ ନିଜ ତୃତୀୟ ପତ୍ନୀ ଆନା ଲେଜନେଭାଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ପୋଷ୍ଟରେ ଲେଖାହୋଇଛି ଯେ ଦୁହେଁ ନିଜ ଆପୋଷ ବୁଝାମଣାରେ ଏହି ଛାଡ଼ପତ୍ରର ଘୋଷଣା କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ମୁହଁ ଖୋଲିଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ରେଣୁ ଦେଶାଇ । ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଏବେ ଖୁବ ଭାଇରଲ ହେବାରେ ଲାଗିଛି।

ସୂଚନା ଥାଉ କି , ଦୀର୍ଘ ୧୩ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଦୁହେଁ ନିଜ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି । ଉଭୟ ଏକ ମିଳିତ ବିବୃତି ଜାରି କରି ପରସ୍ପର ସହମତି ଓ ସମ୍ମାନର ସହ ଅଲଗା ହେବା ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ବିବାହ ସମ୍ପର୍କ ଶେଷ ହେଲେ ମଧ୍ୟ ଭଲ ବନ୍ଧୁ ହୋଇ ରହିବେ ବୋଲି ମଧ୍ୟ କହିଛନ୍ତି ଏହି ଦମ୍ପତି। ପିଲାଙ୍କ ଖୁସି ଓ ଭବିଷ୍ୟତ ସେମାନଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବୃତିରେ ଉଲ୍ଲେଖ କରିଛନ୍ତି। ଆଉ ଏହି ଖବର ପରେ ଚର୍ଚ୍ଚାକୁ ଆସିଛନ୍ତି ପବନ କଲ୍ୟାଣଙ୍କ ଦ୍ୱିତୀୟ ପତ୍ନୀ ରେଣୁ ଦେଶାଇ। ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ କରି ଲେଖିଛନ୍ତି, କୌଣସି ବ୍ୟକ୍ତି ଯଦି ପୂର୍ବରୁ ଏକ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଆହୁରି ସମାଲୋଚନା କରିବା ଠିକ୍ ନୁହେଁ। ଜଣେ ତଳେ ପଡ଼ିଥିବା ବେଳେ ତାଙ୍କୁ ଆହୁରି ଆଘାତ ଦେବା ଅମାନବୀୟ। ଆମେ ସମସ୍ତେ ମଣିଷ, ତେଣୁ ପରସ୍ପର ପ୍ରତି ଦୟା ଓ ସହାନୁଭୂତି ରଖିବା ଉଚିତ୍।

ଖାଲି ଏତିକି ନୁହେଁ, ରେଣୁ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ପୋଷ୍ଟକୁ ନେଇ କେହି ଅଯଥା ଅନୁମାନ ଲଗାନ୍ତୁ ନାହିଁ। ସେ କାହାକୁ ସମର୍ଥନ କରିବା ପାଇଁ ନୁହେଁ, ବରଂ ମାନବିକତା ଦୃଷ୍ଟିରୁ ଏହି କଥା କହିଛନ୍ତି। ତାଙ୍କର ଏହି ପୋଷ୍ଟକୁ ପବନ କଲ୍ୟାଣଙ୍କ ବିବାହ ବିଚ୍ଛେଦ ସହ ଯୋଡ଼ିଛନ୍ତି ଫ୍ୟାନ୍ସ। ସୂଚନା ଅନୁସାରେ, ପବନ କଲ୍ୟାଣ ୧୯୯୭ରେ ନନ୍ଦିନୀଙ୍କୁ ପ୍ରଥମ ବିବାହ କରିଥିଲେ। ଏହି ସମ୍ପର୍କ ୨୦୦୮ରେ ଆଇନଗତ ଭାବେ ଭାଙ୍ଗିଯାଇଥିଲା । ପରେ ୨୦୦୯ରେ ସେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ହେଲେ ୨୦୧୨ରେ ଦୁହେଁ ଅଲଗା ହୋଇଯାଇଥିଲେ। ଆଉ ଏହାପରେ ଶେଷରେ ୨୦୧୩ ମସିହାରେ ରୁଷିଆର ଆନା ଲେଜନେଭାଙ୍କୁ ବିବାହ କରିଥିଲେ ପବନ। ବର୍ତ୍ତମାନ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ୧୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ପବନ କଲ୍ୟାଣଙ୍କ ଏହି ନିଷ୍ପତ୍ତି ଏବେ ସାଉଥ୍ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି । ଅନ୍ୟପଟେ ରେଣୁ ଦେଶାଇଙ୍କ ସହାନୁଭୂତିଭରା ପୋଷ୍ଟ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।